ଦିଲ୍ଲୀ ଅବକାରୀ ନୀତି: ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ସିବିଆଇ ସମନ୍‌

ହାଇଦ୍ରାବାଦ: ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର)ଙ୍କ ଝିଅ କେ କବିତାଙ୍କୁ ସିବିଆଇ ସମନ କରିଛି। କବିତା ହେଉଛନ୍ତି ଜଣେ ପୂର୍ବତନ ସାଂସଦ ଓ ବର୍ତ୍ତମାନ ସେ ତେଲେଙ୍ଗାନା ବିଧାନସଭାର ସଦସ୍ୟ। ତାଙ୍କୁ ସିବିଆଇ ନୋଟିସ କରି ଦିଲ୍ଲୀ ସ୍ଥିତି ସିବିଆଇ ମୁଖ୍ୟାଳୟ କିମ୍ବା ହାଇଦ୍ରାବାଦ ସ୍ଥିତି ଆଞ୍ଚଳିକ କାର୍ଯ୍ୟାଳୟରେ ହାଜର ହେବାକୁ କହିଛି।

ସିବିଆଇ କହିଛି ଯେ “ତଦନ୍ତ ବେଳେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଆପଣଙ୍କ(କବିତା) ପକ୍ଷ ଜାଣିବା ଜରୁରୀ। ତଦନ୍ତ ପ୍ରକ୍ରିୟାରେ ଆପଣଙ୍କ ତଥ୍ୟର ବେଶ ଗୁରୁତ୍ୱ ରହିଛି। ତେଣୁ ଆପଣ ସିବିଆଇ ମୁଖ୍ୟାଳୟ କିମ୍ବା ହାଇଦ୍ରାବାଦ କାର୍ଯ୍ୟାଳୟରେ ହାଜର ହୁଅନ୍ତୁ।”

ଇଡି ଅବକାରୀ ନୀତି ଦୁର୍ନୀତି ଘଟଣାରେ ବୁଧବାର ଗୁରୁଗ୍ରାମରୁ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ ପରେ ଇଡି ଅଧିକାରୀମାନେ ଜେରା କରିଥିଲେ। ଏହି ସମୟରେ ସେ ଦେଇଥିବା ବୟାନକୁ ଆଧାର କରି କେସିଆରଙ୍କ ଝିଅ କବିତାଙ୍କ ନାଁ ମାମଲାରେ ଯୋଡ଼ା ଯାଇଥିଲା।

ଅବକାରୀ ନୀତି ସହ ସାଉଥ ଗ୍ରୁପର ଲିଙ୍କ ରହିଛି। ଏହି ଗ୍ରୁପର ପ୍ରମୁଖ ସଦସ୍ୟ ହେଉଛନ୍ତି କବିତା। ଅନ୍ୟତମ ଗିରଫ ବ୍ୟବସାୟୀ ବିଜୟ ନାୟରଙ୍କ ମାଧ୍ୟମରେ ସାଉଥ ଗ୍ରୁପ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ନେତାମାନଙ୍କୁ ଅତି କମରେ ୧୦୦ କୋଟି ଟଙ୍କା ଦେଇଥିବା ଇଡି ଦାବି କରିଛି। ଇଡିର ଏପରି ଦାବି ପରେ ସିବିଆଇ ଏବେ କବିତାଙ୍କୁ ସମନ କରିଥିବା ଜଣାପଡ଼ିଛି।

ଦିଲ୍ଲୀରେ ଲାଗୁ ହୋଇ ପରେ ପ୍ରତ୍ୟାହାର ହୋଇ ସାରିଥିବା ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ସୁପାରିସକ୍ରମେ ସିବିଆଇ ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ସିସୋଦିଆଙ୍କୁ ୧ନଂ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା।

କିନ୍ତୁ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନଥିଲା। ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ମଧ୍ୟ ରୁଜୁ କରିଥିଲା।

nis-ad
Leave A Reply

Your email address will not be published.