୮ ପ୍ରକଳ୍ପରେ ୪,୪୨୩ କୋଟି ୫୧ ଲକ୍ଷର ପୁଞ୍ଜିନିବେଶ, ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ହେମନ୍ତ ଶର୍ମା

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା-୨୦୨୨ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ। କଂକ୍ଲେଭରେ ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥା ନିକଟରୁ ସମୁଦାୟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ସଚିବ ହେମନ୍ତ ଶର୍ମା ଶୁକ୍ରବାର ଏହା କହିଛନ୍ତି।

ଶ୍ରୀ ଶର୍ମା କହିଛନ୍ତି ଯେ, କେବଳ ଆଜି ଗୋଟିଏ ଦିନରେ ୧୮୦ଟି ସଂସ୍ଥା ନିକଟରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଆଜି ୪୬ ମିନେରଲ ମେଟାଲ, ଡାଉନ ଷ୍ଟିମ ଶିଳ୍ପ, ୪୩ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ଆଇଟି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି କ୍ୟାମିକାଲ ଓ ପ୍ଲାଷ୍ଟିକ, ୧୪ଏଗ୍ରି ବିଜନେସ, ୯ଟି ବୟନ ଓ ପୋଷାକ ଶିଳ୍ପ ଏବଂ ୫ଟି ଏଗ୍ରି ମାର୍କେଟିଂ ସଂସ୍ଥା ରାଜ୍ୟରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି।

ୱାରି ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି, ଚୀନ ପରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ ନିର୍ମାଣ  ହେବ। ଏହି ସୋଲାର କମ୍ପ୍ଲେକ୍ସ ୱାରୀ ଗ୍ରୁପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ ହେବ। କଂପାନି ଏଥିରେ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ।

ସେହିପରି ଏମଏସଏମଇ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ, ଫୁଡ୍ ପ୍ରୋସେସିଂ ପଲିସି ଉନ୍ମୋଚନ ହୋଇଛି। ସରକାର ଏହି ପଲିସି ଅଧିନରେ ନିବେଶକଙ୍କୁ ୩୦% ବା ସର୍ବାଧିକ ୩.୫ କୋଟି ଟଙ୍କାର ସବସିଡି ଦେବେ। ନିବେଶକମାନେ ସ୍ଵତନ୍ତ୍ର ବର୍ଗରେ ଆଉ ୫% ରିହାତି ପାଇବେ। ସୋଲାର ପାୱାର ଭିତ୍ତିକ ଶିଳ୍ପ କଲେ ଅତିରିକ୍ତ ୫% ରିହାତି ମିଳିବ। ମେଗା ଫୁଡ ପାର୍କ ଲାଗି ୧୫ କୋଟି ଟଙ୍କା ଯାଏଁ ସବସିଡି ମିଳିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୧ଟି ସଂସ୍ଥା ୧୪୪୩ କୋଟି ଟଙ୍କାର ନିବେଶ ଆଗ୍ରହ ଦେଖାଇଛନ୍ତି । ଏହାଯୋଗୁଁ ପାଖାପାଖି ୧୦ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

nis-ad
Leave A Reply

Your email address will not be published.