ଋଷ-ୟୁକ୍ରେନ୍ ଯୁଦ୍ଧରେ ୧୩ ହଜାର ୟୁକ୍ରେନ୍ ଯବାନଙ୍କ ମୃତ୍ୟୁ ହୋଇଛି, ସୂଚନା ଦେଲେ ଜେଲେନ୍‌ସ୍କିଙ୍କ ସେନା ପରାମର୍ଶଦାତା

ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ୯ ମାସ ବିତିଗଲାଣି। ଏହି ଯୁଦ୍ଧରେ କେତେ ଯେ ସମ୍ପତ୍ତି ନଷ୍ଟ ହେଲାଣି ତାର କୌଣସି ହିସାବ ଏପର୍ଯ୍ୟନ୍ତ ହୋଇ ନାହିଁ। ସେହିପରି କେଉଁ ପକ୍ଷରୁ କେତେ ଯବାନଙ୍କର ଜୀବନ ଗଲାଣି ସେ ନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦିଆଯାଉ ନାହିଁ।

ତେବେ ୟୁକ୍ରେନ୍‌ ସେନାର ସହିଦ ନେଇ ସୂଚନା ମିଳିଛି। ଯୁଦ୍ଧରେ୧୩ ହଜାର ୟୁକ୍ରେନ୍ ଯାବନଙ୍କର ମୃତ୍ୟୁ ହୋଇିଥିବା  ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନ୍‌ସ୍କିଙ୍କ ବରିଷ୍ଠ ସେନା ପରାମର୍ଶଦାତା ମିଖାଇଲୋ ପୋଡୋଲିୟାକ ସୂଚନା ଦେଇଛନ୍ତି। ୟୁକ୍ରେନ୍ ଟିଭି ମିଡିଆକୁ ସୂଚନା ଦେଇ ପୋଡୋଲିୟାକ କହିଛନ୍ତି ଯେ କିଭ୍ ବର୍ତ୍ତମାନ ଖୋଲାଖୋଲି ଭାବେ ତାର ସୈନ୍ୟ ନିହତ ବିଷୟରେ ସୂଚନା ଦେଉଛି।

ସେନା ସହିଦ ନେଇ ସେ କହିଛନ୍ତି “ ଜେନେରାଲ୍ ଷ୍ଟାଫ୍‌ ଓ କମାଣ୍ଡର ଇନ୍ ଚିଫ୍(ଜେଲେନ୍‌ସ୍କି)ଙ୍କ ଦ୍ୱାରା ସରକାର ଭାବେ ଆକଳନ କରାଯାଇଥିବା ତଥ୍ୟ ରହିଛି। ଏହି ତଥ୍ୟ ଅନୁସାରେ, ଯୁଦ୍ଧରେ ୧୦ ହଜାରରୁ ୧୨.୫୦୦ କିମ୍ବା ୧୩ ହଜାର ଯବାନଙ୍କର ମୃତ୍ୟୁ ହୋଇଛି ବୋଲି ପୋଡୋଲିୟାକ କହିଛନ୍ତି।ତେବେ ପ୍ରକୃତ ସଂଖ୍ୟା କେତେ ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇ ନାହିଁ ବୋଲି ବିବିସି ରିପୋର୍ଟ କରିଛି।

ଏହା ପୂର୍ବରୁ ଜୁନ ମାସରେ ପୋଡୋଲିୟାକ ଦାବି କରିଥିଲେ ଯେ ଯୁଦ୍ଧରେ ପ୍ରତିଦିନ ୧୦୦-୨୦୦ ୟୁକ୍ରେନ୍ ଯବାନ ସହିଦ ହେଉଛନ୍ତି। ସେହିପରି ପୂର୍ବରୁ ୟୁରୋପିୟନ ୟୁନିୟନ କମିଶନ ମୁଖ୍ୟ ଉର୍ସୁଲା ଭନ ଦେର ଲେୟେନ ୟୁକ୍ରେନ୍‌ ଯବାନଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ। ୟୁକ୍ରେନର ୧୦୦,୦୦୦ ଯବାନ ମୃତ୍ୟୁ ହୋଇଥିବା ସେ ଦାବି କରିଥିଲେ। ହେଲେ ପରେ ଏହି ସଂଖ୍ୟା ଉଭୟ ମୃତ୍ୟୁ ଓ ଆହତଙ୍କର ବୋଲି କହିଥିଲେ ଇୟୁ ମୁଖ୍ୟ।  

ସୂଚନା ଥାଉକି ଫେବ୍ରୁଆରୀ ୨୪ ତାରିଖରେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ୨୦ ହଜାର ଯୁକ୍ରେନ ସାଧାରଣ ନାଗରିକଙ୍କର ଜୀବନ ନେଲାଣି ବୋଲି ଇୟୁ ମୁଖ୍ୟ କହିଥିଲେ।   

nis-ad
Leave A Reply

Your email address will not be published.