ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା: ତଣ୍ଟି ଚିପି ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲା ବିବାହିତ ପ୍ରେମିକ

ବଡବିଲ: ଗତ ୧୮ ତାରିଖରେ ବଡ଼ବିଲ,  ହାୟରପୁର ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ଖୁଲାସା କରିଛି ବଡ଼ବିଲ ପୋଲିସ୍ । ଯୁବତୀ ଜଣକ ଆତ୍ମହତ୍ୟା କରିନଥିଲେ ବରଂ ତାଙ୍କୁ ନିର୍ମମ ଭାବରେ ତଣ୍ଟି ଚିପି ହତ୍ୟା କରିବାପରେ ଗଛରେ ଟାଙ୍ଗି ଦିଆଯାଇଥିଲା ବୋଲି ପୋଲିସ୍ ତଦନ୍ତରୁ ସ୍ପଷ୍ଟ ହୋଇଛି । ତେବେ ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଥିଲେ  ଯୁବତୀଙ୍କ ବିବାହିତ ପ୍ରେମିକ ଅରୁଣ କୁମାର ମହାନ୍ତ  ।

ସୂଚନା ଅନୁଯାୟୀ, ବଡ଼ବିଲ ସାନ୍ତବାହାଳ ଅଞ୍ଚଳର ଯୁବତୀ ମନିଷା ମହାନ୍ତ ଏବଂ ଦାମୁ ହଟିଂର  ଯୁବକ ଅରୁଣ  ମହାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ।ଅରୁଣ ପୂର୍ବରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ମନିଷା ଅରୁଣଙ୍କୁ ବିବାହ କରିବାକୁ କହୁଥିଲେ ହେଁ, ଅରୁଣ କଥାକୁ ଏଡ଼ାଇ ଚାଲିଥିଲେ । ଏହାରି ଭିତରେ ସେ  ମନିଷାଙ୍କ ଠାରୁ ପାଖାପାଖି ୯୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ । ତେବେ ଏହି ଟଙ୍କା  ଫେରାଦେବାକୁ କହି ଗତ ୧୭ ତାରିଖରେ ମନିଷାଙ୍କୁ ବଡ଼ବିଲ ବସ୍ ଷ୍ଟାଣ୍ଡକୁ ଡାକିଥିଲେ ଅରୁଣ । ମନିଷା ନିଜର ଜଣେ ଭାଇଙ୍କ ସହ ବସ୍ ଷ୍ଟାଣ୍ଡକୁ ଆସି ଅରୁଣଙ୍କ ସହ ଦେଖାହୋଇଥିଲେ । ତେବେ ଭାଇକୁ ଘରକୁ ପଠାଇଦେଇ ନିଜେ ଅରୁଣ ସହିତ ରହିଯାଇଥିଲେ ମନିଷା ।

ଏହାପରେ ଉଭୟ ବାଇକ୍ ଯୋଗେ ପ୍ରଥମେ ଚମ୍ପୁଆ ଯାଇଥିଲେ । କିଛି ଦିନ ପୂର୍ବେ ଜଣେ ଯୁବକଙ୍କ ସହିତ ମନିଷାକୁ ଦେଖିବା ପରଠାରୁ  ମନିଷାଙ୍କୁ  ସନ୍ଦେହ କରିଆସୁଥିଲେ ଅରୁଣ । ସେହି ଯୁବକଙ୍କ ସହ ମନିଷାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ । ଯୁବକ ଜଣକ କିଏ ଏବଂ ତାଙ୍କ ସହ କି ସମ୍ପର୍କ ରହିଛି ତାହା ଚମ୍ପୁଆରେ ମନିଷାଙ୍କ ଠାରୁ ଜାଣିବାକୁ ଚାହିଁଥିଲେବି ମନିଷା କିଛି କହି ନଥିଲେ । ସନ୍ଧ୍ୟାରେ ଚମ୍ପୁଆରୁ ଫେରି ସାନ୍ତବାହାଳ ସ୍ଥିତ ମନିଷାଙ୍କ ଘର ନିକଟକୁ ଯାଇଥିଲେ ଉଭୟ। ସେଠାରେ ମଧ୍ୟ ସେହି ଯୁବକ ଜଣକ କିଏ ବୋଲି ପ୍ରଶ୍ନ କରିଥିଲେ ଅରୁଣ ।

ତେବେ ମନିଷାଙ୍କ ଠାରୁ ଉତ୍ତର ନମିଳିବାରୁ ସେଠାରୁ ପାଖରେ ଥିବା ହାୟରପୁର ଜଙ୍ଗଲକୁ ନେଇଯାଇଥିଲେ ଅରୁଣ । ନିଛାଟିଆ ଜଙ୍ଗଲରେ  ସେ ଯୁବକ କିଏ ବୋଲି ବାରମ୍ୱାର ପଚାରିବା ସତ୍ବେ ମନିଷା କୌଣସି ଉତ୍ତର ନଦେଇ ଚୁପ୍ ରହିଥିଲେ, ଯାହାଫଳରେ   ଅରୁଣ କ୍ରୋଧ ସମ୍ଭାଳି ନପାରି ମନିଷାଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ଏକ ଶକ୍ତ ଚାପୁଡ଼ା ମାରି  ତଳେ ପକାଇଦେବା ପରେ ନିର୍ମମ ଭାବରେ ମନିଷାର ତଣ୍ଟି ଚିପି ହତ୍ୟାକରିଥିଲେ । ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାକୁ ଆତ୍ମହତ୍ୟାର ରୂପଦେବା ପାଇଁ ଭରପୁର ଚେଷ୍ଟା କରିଥିଲେ ଅଭିଯୁକ୍ତ ପ୍ରେମିକ। ମନିଷା ଘୋଡ଼ାଇ ହୋଇଥିବା ଚଦରକୁ ତାଙ୍କ ବେକରେ ବାନ୍ଧି ଏକ ଗଛରେ ଟାଙ୍ଗି ଦେଇ ସେଠାରୁ ଚାଲିଯାଇଥିଲେ । ତେବେ ମନିଷାଙ୍କ ପରିବାର ଲୋକଙ୍କ ଅଭିଯୋଗ ଏବଂ ପୋଷ୍ଟ ମାର୍ଟମ ରିପୋର୍ଟକୁ ଆଧାର କରି ପୋଲିସ୍ ଖୋଳତାଡ଼ କରିବାପରେ ପ୍ରକୃତ କଥା ପଦାକୁ ଆସିଥିଲା ଏବଂ ଅଭିଯୁକ୍ତ ଅରୁଣ ମହାନ୍ତକୁ ଗିରଫ କରିଥିଲା ବଡ଼ବିଲ ପୋଲିସ୍ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

nis-ad
Leave A Reply

Your email address will not be published.