‘ଏସ୍‌ଏସ୍‌ସି’ ଦୁର୍ନୀତି: ବିରୋଧୀମାନେ ଏକଥା ନ ବୁଝିବା ପର୍ଯ୍ୟନ୍ତ ନୂଆ ନିଯୁକ୍ତି ସମ୍ଭବ ନୁହେଁ -ମମତା ବାନାର୍ଜୀ

କୋଲ୍‌କାତା: ପଶ୍ଚିମବଙ୍ଗ ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବ‌େଳେ ଆଜି ମୁଖ୍ୟମନ୍ତ୍ରୀ ମତତା ବାନାର୍ଜୀ ଶିକ୍ଷା କ୍ଷେତ୍ରରେ ବେଆଇନ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ଉପରେ ପୁଣି ବିରକ୍ତ ହୋଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ପହଞ୍ଚି ରେସନ୍‌ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ବେଳେ ବିରୋଧୀମାନଙ୍କୁ କହିଲେ, ସାମାନ୍ୟ କଥା ପାଇଁ ବିନା ଦ୍ବିଧାରେ ଅଦାଲତରେ ମାମଲା ଦାଏର କର। ବିରୋଧୀମାନେ ଏକଥା ନ ବୁଝିବା ପର୍ଯ୍ୟନ୍ତ ନୂଆ ନିଯୁକ୍ତି ସମ୍ଭବ ନୁହେଁ। ଅଦାଲତରେ ମାମଲା ଲଢ଼ିବା ଲାଗି ସରକାରଙ୍କ ପାଖରେ ଅର୍ଥ ବି ନାହିଁ।
ସୂଚନାଯୋଗ୍ୟ, ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଶିକ୍ଷା ପ୍ରଶାସନର କେତେକ ଉଚ୍ଚପଦସ୍ଥ ଅଧିକାରୀ ନିଯୁକ୍ତି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବାରୁ ଶାସକ ଦଳ ‘ତୃଣମୂଳ କଂଗ୍ରେସ’ ବଡ଼ ଅଶ୍ବସ୍ତି ବୋଧକରୁଛି। ଏହାଛଡ଼ା, କେତେକ ସାମାନ୍ୟ କଥାକୁ ବିରୋଧୀ ଦଳ ବଡ଼ କରି ପକାଉଛନ୍ତି। ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ରାଜ୍ୟରେ ହେଉଥିବା ଦୁର୍ନୀତି ନିମନ୍ତେ ସବୁ ସମୟରେ ଅଦାଲତକୁ ଯିବାକୁ କହୁଛନ୍ତି।
ଏହାଛଡ଼ା, ରାଜ୍ୟରେ ଶିକ୍ଷକ ନିଯୁକ୍ତି ମାମଲା ଏବେ ଅଦାଲତଙ୍କ ବିଚାରାଧୀନ ରହିଛି। ‘ସିବିଆଇ’ ଏବଂ ‘ଇଡି’ ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସିମାନେ ବି ଅଦାଲତଙ୍କ ଆଦେଶ ଅନୁସାରେ ବେଆଇନ ନିଯୁକ୍ତି ପ୍ରକ୍ରିୟା ଉପରେ ତଦନ୍ତ ଚଳାଇଛନ୍ତି। ଏହି ସବୁ ମାମଲାର ଶୁଣାଣି ନିମନ୍ତେ ରାଜ୍ୟ ପ୍ରଶାସନ ସବୁବେଳେ ଅଦାଲତରେ ହାଜର ହେଉଛି। ତେଣୁ, ନୂତନ ଶିକ୍ଷକ ନିଯୁକ୍ତି ଦେବା ଏବେ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେପଟେ ରାଜ୍ୟପାଳ ଭି.ସି. ଆନନ୍ଦ ବୋଷଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇ ନ ଥିବା ବିରୋଧୀ ଦଳର ନେତା ତଥା ‘ବିଜେପି’ ବିଧାୟକ ଶୁଭେନ୍ଦୁ ଅଧିକାରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟ ରାଜନୀତି ପାଇଁ ଡିସେମ୍ବର ମାସ ଅତି ଗୁରୁତ୍ବପୂର୍ଣ୍ଣ। ଆସନ୍ତା ମାସରେ ରାଜ୍ୟର ସବୁଠୁ ବଡ଼ ଚୋରକୁ ଧରାଯାଇ ଜେଲ୍‌ରେ ଭର୍ତ୍ତି କରାଯିବ।

nis-ad
Leave A Reply

Your email address will not be published.