ନକଲି ଓଏସଟିଇଟି ସାର୍ଟିଫିକେଟ୍‌ ଦେଇ ମାଧ୍ୟମିକ ଶିକ୍ଷା ବୋର୍ଡ କର୍ମଚାରୀ ଗିରଫ

କଟକ ୨୩/୧୧: ନକଲି ସାଟିଫିକେଟର ଜାଲରେ ମାଧ୍ୟାମିକ ଶିକ୍ଷା ପରିଷଦ। ଓଏସଏସଟିଇଟି ପରୀକ୍ଷାର ସାର୍ଟିଫିକେଟ ପାଇଁ ଦଲାଲ କରୁଛନ୍ତି ମୁଲଚାଲ। ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି ଲାଞ୍ଚ। ଏଭଳି ଏକ ଜାଲ ସାର୍ଟିଫିକେଟ ବିକ୍ରିକରି ଧରାପଡିଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟର ଜମାଦାର ଭ୍ରମରବର ନାୟକ। ଜାଲ୍‌ ସାର୍ଟିଫିକେଟ କରାଇବା ପାଇଁ ଭ୍ରମରବର ୪୫ ହଜାର ଟଙ୍କା ନେଇଥିଲେ। ତାଙ୍କ ନାଁରେ  ଏତଲା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏତଲାକୁ ଭିତ୍ତିକରି ମଙ୍ଗଳାବାଗ ପୋଲିସ ଏବେ ତଦନ୍ତ କରୁଛି।

ଖବର ଅନୁସାରେ, କେନ୍ଦୁଝରର ଜଣେ ଓଏସଏସଟିଇଟି ପରୀକ୍ଷାର୍ଥୀ ଦେବାଶିଷ ମାଧ୍ୟମିକ ଶିକ୍ଷା  ବୋର୍ଡ କର୍ତ୍ତୃପକ୍ଷଙ୍କ ଠାରେ ତାଙ୍କୁ ନକଲି ପ୍ରମାଣ ପତ୍ର ଦିଆଯାଇଥିବା ଅଭିଯୋଗ କରିଥିଲେ। ପରେ ଏହାକୁ ଗୁରୁତର ଭାବେ ନେଇ ବୋର୍ଡ କର୍ତ୍ତୃପକ୍ଷ ବିଭାଗୀୟ ତଦନ୍ତ କରିଥିଲେ। ବିଭାଗୀୟ ତଦନ୍ତ ପରେ ସାର୍ଟିଫିକେଟଟି ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ଦେବାଶିଷଙ୍କ ଅଭିଯୋଗକୁ ଆଧାରରେ ମଙ୍ଗଳାବାଗ ଥାନାରେ ବୋର୍ଡ କତ୍ତୃପକ୍ଷ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ବୋର୍ଡ ପକ୍ଷରୁ ମଧ୍ୟ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

ସୂଚନା ଅନୁସାରେ, ଦେବାଶିଷ ସାର୍ଟିଫିକେଟ ପାଇଁ ବାରମ୍ବାର ବୋର୍ଡ଼ କାର୍ଯ୍ୟାଳୟକୁ ଆସୁଥିଲେ। ଏହାଦେଖି ଅଭିଯୁକ୍ତ ତାଙ୍କୁ ଶ୍ରୀଘ୍ର ସାର୍ଟିଫିକେଟ କରାଇ ଦେବେ ବୋଲି କହିଥିଲେ। ଲକ୍ଷେ  ଠଙ୍କା ମୁଲଚାଲ ହୋଇ ଶେଷରେ ୪୫ ହଜାରରେ ଡିଲ ଫାଇନାଲ ହୋଇଥିଲା। ଅନ୍ୟପଟେ କାମ କରିବାକୁ ଦେବାଶିଷଙ୍କ ଠାରୁ ଅଭିଯୁକ୍ତ ୮ ହଜାର ଟଙ୍କା ଆଡଭାନ୍ସ ନେଇଥିଲେ। ସାର୍ଟିଫିକେଟ ଦେବା ପରେ ଆଉ ୩୭ ହଜାର ଟଙ୍କା ଦେବାଶିଷ ତାଙ୍କ ଆକାଉଣ୍ଟକୁ ପଠାଇଥିଲେ। ମାତ୍ର ସାର୍ଟିଫିକେଟ ଯାଞ୍ଚ ବେଳେ ଏହା ନକଲି ଜାଣାପଡ଼ିବା ପରେ ସେ ପୁଣି ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ସେପଟେ ମଙ୍ଗଳାବାଗ ଥାନା ପକ୍ଷରୁ ଅଭିଯୁକ୍ତକୁ ସାଙ୍ଗରେ ଧରି ବୋର୍ଡ଼ କାର୍ଯ୍ୟାଳୟରେ ଥିବା ତାର ଅଫିସ୍‌ ଚେମ୍ୱରରେ ତନାଘନା ପୋଲିସ ଚଳାଇଛି ।

nis-ad
Leave A Reply

Your email address will not be published.