ବିଜେପି ସାଂସଦଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ଶାହଜାହାନପୁର: ଅଡ଼ୁଆରେ ବିଜେପି ସାଂସଦ ଅରୁଣ କୁମାର ସାଗର। ବାରମ୍ବାର ସମନ ସତ୍ତ୍ୱେ ସେ କୋର୍ଟରେ ହାଜର ନେବାରୁ ତାଙ୍କୁ ପଳାତକ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ। ଉତ୍ତରପ୍ରଦେଶର ଶାହଜାହାନପୁର ଆସନରୁ ଅରୁଣ କୁମାର ବିଜେପି ଟିକେଟରେ ନିର୍ବାଚନ ଜିତି ଲୋକସଭାକୁ ଯାଇଛନ୍ତି।
ଜଣେ ଲୋକପ୍ରତିନିଧି ହୋଇଥିଲେ ମଧ୍ୟ ସେ କୋର୍ଟଙ୍କ ସମନକୁ ବେଖାତିର କରିଥିଲେ। ଏଥିପାଇଁ ତାଙ୍କୁ ପଳାତକ ଘୋଷଣା କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ବେଳେ ତାଙ୍କ ପାଖରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଏଗୁଡ଼ିକୁ ଜବତ କରାଯାଇଥିବା ବେଳେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ତାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରକାରର ପକ୍ଷ ରଖି ନଥିଲେ।
ନଭେମ୍ବର ୨୧ରେ ବିଚାରପତି ଅସମା ସୁଲତାନା ସାଂସଦ ଅରୁଣ କୁମାର ସାଗରଙ୍କୁ ପଳାତକ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ପିପିଓ ନୀଲିମା ସକ୍ସେନା କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନ ବେଳେ ଏସଡିଏମ ସଦର ସାଂସଦ ସାଗରଙ୍କ ଠାରୁ ବରେଲୀ-ଜଲାଲାବାଦ ରୋଡରୁ ନିର୍ବାଚନ ପ୍ରଚାର ସଂକ୍ରାନ୍ତ ଆପତ୍ତିଜନକ ଜିନିଷ ଠାବ କରିଥିଲେ।
ଏହାକୁ ସେତେବେଳେ ସିଜ୍‌ କରାଯିବ ସହ ମାମଲା ମଧ୍ୟ କରାଯାଇଥିଲା। ମାମଲା ରୁଜୁ ହୋଇଥିବାରୁ ଶୁଣାଣି ପାଇଁ ତାଙ୍କୁ ସମନ କରାଯାଇଥିଲା। ହେଲେ ସେ ଗୋଟିଏ ଥର ବି କୋର୍ଟରେ ହାଜର ହୋଇ ନଥିଲେ। ଏଥିପାଇଁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ରୁଜୁ କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନାହିଁ।
ଏହି କାରଣରୁ ତାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ନୋଟିସ ସାଗରଙ୍କ ବାସଭବନ ଓ ସର୍ବସାଧାରଣ ସ୍ଥାନରେ ଲଗାଇବାକୁ ମଧ୍ୟ କୋର୍ଟ କହିଛନ୍ତି।

nis-ad
Leave A Reply

Your email address will not be published.