ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ପିତା-ପୁତ୍ର ଲଢେଇ । ଝଗଡ଼ିଆ ବିଧାନସଭା ଆସନରେ ବାପା-ପୁଅ ମଧ୍ୟରେ ହେବ ଟକ୍କର । ଭାରତୀୟ ଟ୍ରାଇବାଲ୍ ପାର୍ଟି (ବିଟିବି)ର ସଂସ୍ଥାପକ ଛୋଟୁ ଭସାଭା ସୋମବାର ନିଜ ପୁଅ ମହେଶ ଭସାଭାଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଛୋଟୁ ଭସାଭା ଲଗାତାର ୭ଥର ବିଧାୟକ ଭାବେ ଏହି ଆସନରୁ ନିର୍ବାଚିତ ହୋଇଛନ୍ତି । ତେବେ ଡିସେମ୍ବର ୧ତାରିଖରେ ହେବାକୁ ଥିବା ନିର୍ବାଚନରେ ବିଜୟ ନେଇ ଆଶା ପ୍ରକଟ କରିଛନ୍ତି ଛୋଟୁ ।
ଛୋଟୁ ଭସାଭାଙ୍କ ପୁଅ ମହେଶ ଭସାଭା ଗୁଜରାଟ ଭାରତୀୟ ଅନୁସୂଚିତ ଜନଜାତି ଦଳର ଅଧ୍ୟକ୍ଷ ଅଛନ୍ତି । ସେ ଝଗଡ଼ିଆରୁ ଦଳୀୟ ଟିକେଟ୍ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଛୋଟୁ ଭସାଭା କହିଛନ୍ତି, ଝଗଡ଼ିଆ ବିଧାନସଭା ଆସନରେ ସର୍ତ୍ତାରେ ଥିବା ଭାରତୀୟ ଜନତା ପାର୍ଟିକୁ ଟକ୍କର ଦେବାକୁ କେହି ନାହାନ୍ତି । ତେଣୁ ବିଜେପିକୁ ପରାଜିତ କହିବାକୁ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ନିଜ ପୁଅ ମହେଶ ଭସାଭାଙ୍କୁ ନେଇ କହିଛନ୍ତି, ପରିବାର ଜଣେ ସଦସ୍ୟ ୪ଟି ଆସନରେ ନିର୍ବାଚନ ଲଢିପାରିବେ । ବିଜେପି ଯେପରି ରାଜ୍ୟ ଓ ଦେଶରେ ବିଜୟ ଲାଭ କରୁଛି, ମୁଁ ବି ସେହି ଭଳି ବିଜୟ ଲାଭ କରିବି ବୋଲି ଛୋଟୁ ଭସାବା କହିଛନ୍ତି ।
ଛୋଟୁ ଭସାବାଙ୍କ ସଚିବ ଅବ୍ବାଲାଲ ଯାଦବ ମିଡିଆକୁ ସମ୍ବୋଦ୍ଧିତ କରି କହିଛନ୍ତି, ଛୋଟୁ ଭସାଭା ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେ ଆଦିବାସୀଙ୍କର ଏକମାତ୍ର ଆଶା ଆଉ ଭରସା । ଜନଜାତିଙ୍କ ପାଇଁ ସେ ଅନ୍ତିମ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ । ତେଣୁ ଝଗଡ଼ିଆ ବିଧାନସଭା ସିଟ୍ରେ ଛୋଟୁ ଭସାଭାଙ୍କ ବିଜୟ ସୁନିଶ୍ଚିତ । ଅନ୍ୟପଟେ ପିତା-ପୁତ୍ର ମଧ୍ୟ ଲାଗି ରହିଥିବା ବିବାଦ ଶୀଘ୍ର ସମାଧାନ ହେବ ବୋଲି ଅବ୍ବାଲାଲ କହିଛନ୍ତି ।
୨୦୧୭ଗୁଜରାଟ ବିଧାନସଭା ନିର୍ବାଚନରେ ଉଭୟ ପିତା-ପୁତ୍ର ବିଜୟ ହୋଇଥିଲା । ଛୋଟୁ ଭସାଭା ଝଗଡ଼ିଆରୁ ଏବଂ ମହେଶ ଭସାଭା ନର୍ମାଦା ଜିଲ୍ଲାର ଡେଡ଼ିୟାପଡାରୁ ଆସନରୁ ବିଜୟ ଲାଭ କରିଥିଲେ । ସେପଟେ ଗୁଜରାଟ ବିଧାନସଭା ନିର୍ବାଚନରେ ବିଟିବି ବହୁମତ ମିଳିବା ନେଇ ମହେଶ ଭସାଭା ଆଶା ରଖିଛନ୍ତି ।
ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ମୋଟ୍ ୧୮୨ଟି ଆସନରୁ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟରେ ୮୯ ସିଟ୍ରେ ମତଦାନ ହେବ । ଡିସେମ୍ବର ୫ ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ଭୋଟିଂ ହେବ ।