ଗୁଜୁରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଇସୁଦାନ ଗଢ଼ଭୀଙ୍କୁ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ଇସୁଦାନଙ୍କ ନିର୍ବାନମଣ୍ଡଳୀ ଘୋଷଣା କରିଛି ଦଳ। ଇସୁଦାନ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଜି ଦଳ ପକ୍ଷରୁ ଆବାହକ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି । ଚାଷୀ, ବେରୋଜଗାରୀ ଯୁବକ, ମହିଳା, ବ୍ୟବସାୟୀଙ୍କ ପାଇଁ ବର୍ଷ ବର୍ଷ ଧରି ସ୍ୱର ଉତ୍ତୋଳନ କରିଆସୁଛନ୍ତି ଇସୁଦାନ। ସେ ଗାଡଭି ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭଗବାନ କୃଷ୍ଣଙ୍କ ପବିତ୍ର ଭୂମିରୁ ଗୁଜୁରାଟ ଜଣେ ନୂତନ ତଥା ଉତ୍ତମ ମୁଖ୍ୟମନ୍ତ୍ରୀ ପାଇବ ବୋଲି ଅରବିନ୍ଦ କେଜ୍ରିୱାଲ ହିନ୍ଦୀରେ ଟ୍ୱିଟ କରିଛନ୍ତି। ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଆପ ଶନିବାର ଆଉ ତିନି ଜଣ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଇସୁଦାନଙ୍କ ନିର୍ବାଚନମଣ୍ଡଳୀ ଘୋଷଣା କରି ନଥିଲା।
ଶନିବାର ପ୍ରକାଶ ପାଇଥିବା ୧୫ତମ ତାଲିକାରେ ଆପ ଏପର୍ଯ୍ୟନ୍ତ ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୭୬ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଆପ ପକ୍ଷରୁ ପଟିଦାର ଆନ୍ଦୋଳନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ପାର୍ଟିର ରାଜ୍ୟ ପ୍ରମୁଖ ଗୋପାଳ ଇଟାଲିଆ ଏହି ପଦ ପାଇଁ ପ୍ରବଳ ଦାବିଦାର ଥିଲେ । କିନ୍ତୁ କେଜ୍ରିୱାଲଙ୍କ ଅନୁସାରେ ପାର୍ଟି ୧୬.୫ ଲକ୍ଷ ଲୋକଙ୍କ ରାୟ ନେବାପରେ ଇସୁଦାନଙ୍କ ନାମ ଚୟନ କରିଛି । ଏହା ମଧ୍ୟରୁ ୭୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇସୁଦାନଙ୍କୁ ପସନ୍ଦ କରିଥିଲେ ।

ରାଜ୍ୟରେ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବା ଉଚିତ ଏ ସମ୍ପର୍କରେ ଏସ୍‌ଏମ୍‌ଏସ୍‌, ହ୍ୱାଟ୍ସଆପ୍‌, ଭଏସ୍ ମେଲ୍‌, ଇ-ମେଲ୍ ଜରିଆରେ ପାର୍ଟିକୁ ଜଣାଇବା ପାଇଁ କେଜରିୱାଲ୍ ଅକ୍ଟୋବର ୨୯ ତାରିଖରେ ରାଜ୍ୟର ଲୋକମାନଙ୍କୁ ନିବେଦନ କରିଥିଲେ । ଇସୁଦାନ ୧୯୮୨ ଜାନୁଆରୀ ୧୦ ତାରିଖରେ ଜାମନଗରର ପିପିଲିଆ ଗାଁର ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଖେରାଜଭାଇ ଜଣେ କୃଷକ ହୋଇଥିବା ବେଳେ ପୂରା ପରିବାର ଚାଷକାର୍ଯ୍ୟ ସହିତ ସମ୍ପୃକ୍ତ । ଇସୁଦାନ ଅନ୍ୟ ପଛୁଆ ବର୍ଗ (ଓବିସି)ର ହୋଇଥିବା ବେଳେ ଏହି ବର୍ଗ ରାଜ୍ୟ ଜନସଂଖ୍ୟାର ୪୮ ପ୍ରତିଶତ । ପେସାରେ ସାମ୍ବାଦିକ ଇସୁଦାନ ଗୁଜରାଟର ଏକ ଲୋକପ୍ରିୟ ଟିଭି ଚାନେଲ୍‌ର ଆଙ୍କର୍ ମଧ୍ୟ ରହିଆସିଛନ୍ତି । ୨୦୨୧ ଜୁନ୍‌ରେ ଆପ୍ ସଦସ୍ୟତା ନେଇଥିବା ଇସୁଦାନ ଏବେ ପାର୍ଟିର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଅଛନ୍ତି । ଏହା ସହିତ ସେ ପାର୍ଟି ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ ଅଛନ୍ତି ।

nis-ad
Leave A Reply

Your email address will not be published.