ନିଯୁକ୍ତି ପାଇବେ ୭ ହଜାର ୫୪୦ ଶିକ୍ଷକ

ଭୁବନେଶ୍ଵର:  ୪୮୪୮ଟି ସରକାରୀ ହାଇସ୍କୁଲରେ ସବୁ ପଦବୀ ପୂରଣ ହେବ । ଏହିସବୁ ସ୍କୁଲରେ ନୂଆକରି ନିଯୁକ୍ତି ପାଇବେ ୭ ହଜାର ୫୪୦ ଶିକ୍ଷକ । ଏତେ ସଂଖ୍ୟକ ଶିକ୍ଷକଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ବାରା ରାଜ୍ୟର ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ହେବ । ଏହାଦ୍ବାରା ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ।

୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା। ରାଜ୍ୟ ସରକାରଙ୍କ 5-T ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି।  କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। 5-T ରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି।  ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। 

ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଦୁଇ ଦିନ ତଳେ ୨୫୭ ଜଣ ଜୁନିୟର ଇଞ୍ଜିନିୟରଙ୍କୁ ଜଳସମ୍ପଦ ବିଭାଗରେ ନିଯୁକ୍ତି ଦେଇଥିଲେ ସରକାର। ଗତ ମାସରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାର ଉଚ୍ଛେଦ କରି ସମସ୍ତଙ୍କ ଚାକିରି ସ୍ଥାୟୀ କରିଥିଲେ ସରକାର । ଏହାଫଳରେ ୫୭ ହଜାର ଚୁକ୍ତି ଭିତିକ କର୍ମଚାରୀଙ୍କ ଚାକିରୀ ପରମାନେଣ୍ଟ ହୋଇଥିଲା ।

nis-ad
Leave A Reply

Your email address will not be published.