ୟୁନିଟ୍‌-୨ ବିଦ୍ୟାଳୟ ବୁଲିଲେ ରାଷ୍ଟ୍ରପତି : ଭଲ ପାଠ ପଢି ବଡ଼ ମଣିଷ ହେବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର ୧୧।୧୧ : ୟୁନିଟ ୨ ବାଳିକା ବିଦ୍ୟାଳୟରେ ପହଞ୍ଚିଥିଲେ ମହାମହିମ ରାଷ୍ଟ୍ରପତି । ବିଦ୍ୟାଳୟ ପରିସର ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମନେ ପଡ଼ିଥିଲା ପିଲା ଦିନର ସ୍ମୃତି । ପ୍ରଥମେ ଛାତ୍ରୀମାନେ ଡ୍ରମ ବଜାଇ ସ୍ଵାଗତ କରିଥିଲେ । ପରେ ବନ୍ଦେ ଉତ୍କଳ ଗାନ କରିଥିଲେ । ନୃତ୍ୟ ପରିବେଷଣ ବି କରିଥିଲେ ।

ସେହିପରି କୁନି କୁନି ଛାତ୍ରୀଙ୍କୁ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ବାଲୁକାରେ ତିଆରି ନିଜ ପ୍ରତିମୂର୍ତ୍ତିକୁ ବି ଦେଖିଥିଲେ । କିଛି ଛାତ୍ରୀ ହାତ ଅଂକା ଫୋଟୋ ରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ । ଏହି ଅବସରରେ ନିଜ ସାଙ୍ଗମାନଙ୍କୁ ଭେଟିଥିଲେ । ସେମାନଙ୍କୁ ସାମ୍ନାରେ ଦେଖି କ୍ଲାସ ମେଟ୍ ମାନେ ଭାରି ଖୁସି ହୋଇଥିଲେ । ସବୁ ସାଙ୍ଗମାନଙ୍କୁ ରାଷ୍ଟ୍ରପତିଙ୍କ ସହ କଥା ହେବା ବେଳେ ଆପଣ ବୋଲି ସମ୍ବୋଧନ କରି କଥା ହେବା ପାଇଁ କୁହାଯାଇଥିଲା ବେଳେ ନିଜେ ଦ୍ରୌପଦୀ ମୁର୍ମୁ ଓ କ୍ଲାସ ମେଟ୍ ମାନେ ସାଙ୍ଗ ଭଳି କଥା ବାର୍ତ୍ତା ହୋଇଥିଲେ । ଛାତ୍ର ଜୀବନରୁ ସେ ଶାନ୍ତ ସରଳ ସ୍ଵଭାବର ଝିଅ ଥିଲେ ବୋଲି ସେମାନେ କହିଛନ୍ତି ।

ଷ୍ଟେଜ ପ୍ରୋଗ୍ରାମ ପରେ ମହାମହିମ ରାଷ୍ଟ୍ରପତି ଯାଇଥିଲେ କୁନ୍ତଳା କୁମାରୀ ସାବତ ହଷ୍ଟେଲର ତୁଳସୀ ମୁଣ୍ଡା କକ୍ଷକୁ। ସ୍କୁଲ ଆଡ଼ମିଶନ ନେଇଥିବା ବେଳେ ସେ ଯେଉଁ ଦସ୍ତଖତ କରିଥିଲେ ସେହି ପେଜକୁ ରାଷ୍ଟ୍ରପତିଙ୍କୁ ଉପହାର ଦେଇଥିଲେ । ଏହି ସ୍ଥାନରେ ସେ ଭାବ ବିହ୍ୱଳ ହୋଇଯାଇଥିଲେ ।

ଶିକ୍ଷାର୍ଥୀ ଭାବେ ତିନି ବର୍ଷ ଧରି ଯେଉଁ ଖଟରେ ଶୋଉଥିଲେ, ସେହି ଖଟ ଉପରେ କିଛି ସମୟ ପାଇଁ ବସିଥିଲେ । ଏ ଖଟଟି ଆଜି ଯାଏ ସାଇତା ହୋଇ ରହିଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ । ହଷ୍ଟେଲ ୱାଡେନ୍ ଓ ମାଟ୍ରନଙ୍କୁ ପାଖକୁ ଡାକି କଥା ହୋଇଥିଲେ । କିଛି ପୁରୁଣା ଫଟୋକୁ ଦେଖି ଖୁସି ହୋଇଥିଲେ। ଏହାପରେ ହଷ୍ଟେଲ କ୍ୟାମ୍ପସରେ ବଉଳ ଗଛ ଲଗାଇଥିଲେ । ହଷ୍ଟେଲ ବେଳେ ବିତାଇଥିବା ଛାତ୍ରୀ ଜୀବନର ଅନେକ ଅଭୁଲା ସ୍ମୃତିକୁ ରୁଦ୍ଧିମନ୍ତ କରିଥିବା ସ୍କୁଲ ରେଜିଷ୍ଟରରେ ଉଲ୍ଲେଖ କରିଛନ୍ତି । ଭାବବିହ୍ୱଳ ହୋଇଥିବା ଲେଖିଛନ୍ତି ।  ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଘରୋଇ ପରିବେଶ ମିଳୁଥିବା ଜାଣି ଖୁସି ବ୍ୟକ୍ତ କରିଛନ୍ତି ।

nis-ad
Leave A Reply

Your email address will not be published.