କର୍ଣ୍ଣାଟକ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ: ‘ହିନ୍ଦୁ’ ଶବ୍ଦର ଅର୍ଥ ‘ଭୟଙ୍କର’

ବାଙ୍ଗାଲୋର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସତୀଶ ଲକ୍ଷ୍ମଣରାଓ ଜାରକିହୋଲି ‘ହିନ୍ଦୁ’ ଶବ୍ଦକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ହିନ୍ଦୁ ଏକ ଭାରତୀୟ ଶବ୍ଦ ନୁହେଁ, ଏହା ପର୍ସିଆରୁ ଆସିଛି। ଏହାର ଅର୍ଥ ମଧ୍ୟ ଅତି କଦର୍ଯ୍ୟ ବା ‘ଭୟଙ୍କର’। ନିଜ ଦଳ ପକ୍ଷରୁ ଜାରକିହୋଲିଙ୍କ ଭାଷଣକୁ ବିରୋଧ କରାଯାଇଛି। ରବିବାର ବେଲାଗାବି ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ବେଳେ ଜାରକିହୋଲି କହିଛନ୍ତି, ‘‘ହିନ୍ଦୁ ଶବ୍ଦଟି କେଉଁଠୁ ଆସିଛି? ଏହା ପର୍ସିଆରୁ ଆସିଛି.. ତେଣୁ ଭାରତ ସହ ଏହାର ସମ୍ପର୍କ କ’ଣ? ‘ହିନ୍ଦୁ’ ଆପଣଙ୍କର କେମିତି ହେଲା? ହ୍ବାଟ୍‌ସଆପ୍, ୱିକିପିଡ଼ିଆ ଦେଖ, ଶବ୍ଦଟି ଆପଣଙ୍କର ନୁହେଁ।
ଏହାକୁ କାହିଁକି ଆପଣ ଏତେ ସମ୍ମାନ ଦେଉଛନ୍ତି? ..ଏହାର ଅର୍ଥ ଭୟଙ୍କର (ହରିବ୍‌ଲ)।’’ ଜାରକିହୋଲିଙ୍କ ଏହି ଭାଷଣର ଭିଡ଼ିଓଟି ଭାଇରାଲ ହେବା ପରେ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ଦଳ ପକ୍ଷରୁ ଏହାର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁ ଏକ ସଭ୍ୟତା ଓ ଜୀବନଶୈଳୀ। କଂଗ୍ରେସ ସବୁ ଧର୍ମ ଓ ବିଶ୍ବାସକୁ ସମ୍ମାନ ଦେଇଥାଏ। ସତୀଶ ଜାରକିହୋଲି ଯାହା କହିଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପରିତ୍ୟଜ୍ୟ। ଆମେ ଏହାକୁ ଏକସ୍ବରରେ ନିନ୍ଦା କରୁଛୁ ବୋଲି ସୂର୍ଯେୱାଲା କହିଛନ୍ତି। ବିଜେପି ମଧ୍ୟ ଜାରକିହୋଲିଙ୍କ ମନ୍ତବ୍ୟର ପ୍ରତିବାଦ କରିଛି। ବରିଷ୍ଠ ବିଜେପି ନେତା ସେହଜାଦ ପୁନାୱାଲା କହିଛନ୍ତି, ଜାରକିହୋଲିଙ୍କ ଏହି ଭିଡ଼ିଓ ହିନ୍ଦୁମାନଙ୍କୁ ଉତ୍ତ୍ୟକ୍ତ କରିବା ଓ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ। ଏହା ଏକ ସଂଯୋଗ ନୁହେଁ ବରଂ ଭୋଟବ୍ୟାଙ୍କର ଉଦ୍ୟୋଗ। ‘ହିନ୍ଦୁ ଆତଙ୍କବାଦ’ ପରି ଶବ୍ଦ ସୃଷ୍ଟିଠାରୁ ରାମ ମନ୍ଦିରକୁ ବିରୋଧ ଏବଂ ଗୀତାକୁ ଜିହାଦ ସହିତ ଯୋଡ଼ିବା ପର୍ଯ୍ୟନ୍ତ କଂଗ୍ରେସର ହିନ୍ଦୁ-ବିରୋଧୀ ଚିନ୍ତାଧାରାର ଗୋଟିଏ ଗୋଟିଏ ନିଦର୍ଶନ।

nis-ad
Leave A Reply

Your email address will not be published.