ସୋମବାର ଥିଲା ଜଷ୍ଟିସ ଲଳିତଙ୍କ ଶେଷ କାର୍ଯ୍ୟ ଦିବସ, ଚର୍ଚ୍ଚାରେ ଥିଲା ଓଡ଼ିଶା ସଂପର୍କିତ ରାୟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟକାଳ ଆଜି ‌ଶେଷ ହେବାର ଥିଲା। ଆଜି ଗୁରୁ ନାନକ ଜୟନ୍ତୀ ଯୋଗୁ କୋର୍ଟ ବନ୍ଦ ରହିବ। ଏହି କାରଣରୁ ସୋମବାର ଦିନ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଥିଲା। ପ୍ରଧାନ ବିଚାରପତି ଭାବେ ମାତ୍ର ୭୪ ଦିନର ସ୍ବଳ୍ପ କାର୍ଯ୍ୟକାଳ ମଧ୍ୟରେ ସେ ଏକାଧିକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶା ସଂପର୍କିତ କିଛି ରାୟ ମଧ୍ୟ ରହିଛି।
ଚଳିତ ବର୍ଷ ସେ‌ପ୍ଟେମ୍ବର ପ୍ରଥମ ସପ୍ତାହରେ ଜଷ୍ଟିସ ଲଳିତ ବରିଷ୍ଠ ଆଇନଜୀବୀ ମାନ୍ୟତା ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ଖାରଜ କରିଦେଇଥିଲେ। ଗତ ସପ୍ତାହରେ ସମ୍ବିଧାନର ସ୍ବତନ୍ତ୍ର କ୍ଷମତାର ପ୍ରୟୋଗ କରି ହେମଗିରିସ୍ଥିତ ମହାନଦୀ ଖୋଲାମୁହଁ କୋଇଲା ଖଣି ବିସ୍ଥାପିତ ୪ ଟି ଗାଁ କିରିପସିରା, ତୁମୁଳିଆ, ରତନସରା, ଝୁପୁରଙ୍ଗାରେ ୨୦୧୩ ଜମି ଅଧିଗ୍ରହଣ ନୀତି ଲାଗୁହେବ ବୋଲି ଜଷ୍ଟିସ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ। ଯାହା ଫଳରେ ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ, ନିଯୁକ୍ତି ସୁବିଧାର ବାଟ ଖୋଲିବା ସମ୍ଭବପର ହୋଇପାରିଛି। ସେହିଭଳି ଗତ ସପ୍ତାହରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଜଷ୍ଟିସ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଓସିଏଲ୍‌ ଏବଂ ରାଉରକେଲା ଇସ୍ପାତ କାରଖାନା ଇଣ୍ଡଷ୍ଟ୍ରିଆଲ ଏରିଆକୁ ଓଡ଼ିଶା ପ୍ରବେଶ କର ଆଇନ ପରିସରଭୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତିକୁ କାଏମ ରଖିଥିଲେ।

କମ୍ପ୍ୟୁଟର ଓ ଡିଜିଟାଲ ରେକର୍ଡ ମାଧ୍ୟମରେ ବିଚାରାଧୀନଥିବା ମାମଲାଗୁଡ଼ିକର ତ୍ବରିତ ପରିଚାଳନା ଏବଂ କ୍ରିୟାନ୍ବୟନକୁ ନେଇ ସେ ବେଶ ତତ୍ପର ରହିବା ସହିତ ଅନେକ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୩୪ ଟି ପେପରଲେସ୍‌ (କାଗଜବିହୀନ) ଅଦାଲତ ଉଦ୍‌ଘାଟନ କରି ଓଡ଼ିଶା ହାଇକୋର୍ଟ ‌ଭାରତୀୟ ବିଚାର ବ୍ୟବସ୍ଥାକୁ ନୂତନ ଦିଗନ୍ତ ତଥା ନୂତନ ଆଲୋକର ପଥ ଦେଖାଇଛି ବୋଲି ସେ କହିଥିଲେ।

nis-ad
Leave A Reply

Your email address will not be published.