ବିଜେପିକୁ ପଛେ ଭୋଟ ଦିଅ, କିନ୍ତୁ ଆପକୁ ଜମା ବି ଭୋଟ ଦିଅ ନାହିଁ: କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ନେତାମାନେ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ନିଜ ଦଳକୁ ଜିତାଇବା ପାଇଁ ସମସ୍ତ ନେତା ଭୋଟ ମାଗିବା ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା ଲଲିତ ବାସୋୟାଙ୍କ ବିବୃତି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ବିଜେପିକୁ ଭୋଟ୍ ଦେବାକୁ ମଞ୍ଚରୁ ନିବେଦନ କରିଛନ୍ତି। ଆପକୁ ଭୋଟ ନଦେବାକୁ ଅପିଲ କରି କଂଗ୍ରେସ ନେତା କହିଛନ୍ତି ଯେ, ଯଦି ଆପଣ ଚାହାଁନ୍ତି ତେବେ ବିଜେପିକୁ ଭୋଟ୍ ଦିଅନ୍ତୁ, କିନ୍ତୁ ଆପକୁ କଦାପି ହେଲେ ଦିଅନ୍ତୁ ନାହିଁ। ତେବେ ତାଙ୍କର ଏଭଳି ବୟାନକୁ ନେଇ ସେ ସମାଲୋଚନାର ଶିକାର ହେବାରୁ ଆପକୁ ଟାର୍ଗେଟ କରିବା ସମୟରେ ମୁଁ ଏଭଳି କହିଦେଇଥିଲି ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନା ମୁତାବକ, କଂଗ୍ରେସର ବରିଷ୍ଠ ନେତା ତଥା ଧୋରାଜୀରୁ ବିଧାୟକ ଥିବା ଲଲିତ ବାସୋୟା ଏକ ସାଧାରଣ ସଭାରେ ମଞ୍ଚରୁ କଂଗ୍ରେସ ପାଇଁ ଭୋଟ୍ ମାଗୁଥିଲେ। ଏହି ସମୟରେ ସେ ବିଜେପିକୁ ଭୋଟ୍ ଦେବା ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ, ଆମ୍ ଆଦମୀ ପାର୍ଟି କଂଗ୍ରେସର ଭୋଟ୍ ବାଣ୍ଟିବାକୁ ଆସିଛି। ମୁଁ ଆପଣଙ୍କୁ ମଞ୍ଚରୁ କହୁଛି ଯେ, ବିଜେପିକୁ ପଛେ ଭୋଟ୍ ଦେବ, କିନ୍ତୁ ଆମ୍ ଆଦମୀ ପାର୍ଟିକୁ ଜମା ବି ଭୋଟ ଦେବ ନାହିଁ। ବାସୋୟାଙ୍କ ଏଭଳି ବିବୃତି ପାଇଁ କଂଗ୍ରେସ ଏବେ ସମାଲୋଚନାର ଶିକାର ହେଉଥିବା ଦେଖାଯାଇଛି।

ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାସୋୟାଙ୍କ ଏହି ଭିଡିଓକୁ ଟ୍ୱିଟ୍ କରି ବିଜେପି-କଂଗ୍ରେସ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ନେଇ ନିଜର ପୁରୁଣା ଅଭିଯୋଗକୁ ଦୋହରାଇଛନ୍ତି। କେଜ୍ରିୱାଲ ଲେଖିଛନ୍ତି, ଭିଡିଓ ଦେଖନ୍ତୁ। କଂଗ୍ରେସର ବରିଷ୍ଠ ନେତା ଖୋଲାଖୋଲି ଭାବେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦିଅନ୍ତୁ ନାହିଁ, ବିଜେପିକୁ ଭୋଟ୍ ଦିଅନ୍ତୁ। ଏଥିରୁ ବିଜେପି-କଂଗ୍ରେସ ମଧ୍ୟରେ ଭିତିରିଆ ସମ୍ପର୍କ ଥିବା ସ୍ପଷ୍ଟ ହେଉଛି।

nis-ad
Leave A Reply

Your email address will not be published.