ହିମାଚଳ ପ୍ରଦେଶ ପାଇଁ କଂଗ୍ରେସ ଘୋଷଣା କଲା ‘ପ୍ରତିଜ୍ଞା ପତ୍ର’

ଶିମଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଉ ତା’ପୂର୍ବରୁ ଶନିବାର କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଦଳର ନିର୍ବାଚନୀ ଇସ୍ତାହାରର ନାମ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ରଖାଯାଇଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ, ଏଆଇସିସି ଇନ୍‌ଚାର୍ଜ ରାଜୀବ ଶୁକ୍ଳା, ଦଳର ହିମାଚଳ ପ୍ରଦେଶ ସଭାପତି ପ୍ରତିଭା ସିଂହ, କଂଗ୍ରେସ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ଶୁଖବିନ୍ଦର ସିଂହ ସୁଖୁ ଓ ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲଙ୍କ ଉପସ୍ଥିତିରେ ‘କଂଗ୍ରେସ ପ୍ରତିଜ୍ଞା ପତ୍ର’ ଘୋଷଣା କରାଯାଇଛି।

ନିର୍ବାଚନୀ ଇସ୍ତାହାରରେ ଦଳ ବିଶେଷତଃ ଦର ବୃଦ୍ଧି, ବେକାରୀ ଓ ସରକାରୀ ଚାକିରିଆଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତା’ର ସମାଧାନ କରାଯିବ ବୋଲି କହିଛି। ମହିଳା, ଯୁବବର୍ଗ, ସରକାରୀ ଚାକିରିଆ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଆଶା ଓ ଆକାଂକ୍ଷାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ବୋଲି ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଧନୀ ରାମ ଶାଣ୍ଡିଲ କହିଛନ୍ତି।

ଶୁକ୍ରବାର ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲା ବେଳେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ ଯେ ତାଙ୍କ ଦଳ ରାଜ୍ୟରେ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟ୍ ବୈଠକରେ ଏକ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବାକୁ ବ୍ୟବସ୍ଥା କରାଯିବ। ଆଜି ଦଳର ନିର୍ବାଚନୀ ଇସ୍ତାହାରରେ ଠିକ୍ ସେହି କଥା ଉଲ୍ଲେଖ କରାଯାଇଛି। ଏହା ସହିତ ସରକାରୀ କର୍ମଚାରୀଙ୍କ ସବୁ ବକେୟା ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି। ସେହିପରି ସମସ୍ତ ଠିକା କର୍ମଚାରୀଙ୍କୁ ଦୁଇ ବର୍ଷ ମଧ୍ୟରେ ନିୟମିତ କରାଯିବ।

ରାଜ୍ୟରେ ‘ଯୁବ କମିଶନ’ ଗଠନ କରିବାକୁ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି। ଏହି କମିଶନ ଯୁବବର୍ଗଙ୍କ ଶିକ୍ଷା ଓ ନିଯୁକ୍ତି ପ୍ରସଙ୍ଗରେ ସବୁ କଥା ବୁଝିବ ଏବଂ ତା’ର ସମାଧାନର ବାଟ ବାହାର କରିବ। ଏହା ବାଦ୍ ଲୋକଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ମିଳିବ। ୧୮ରୁ ୬୦ ବର୍ଷ ବୟସ ବର୍ଗର ମହିଳାଙ୍କୁ ପ୍ରତିମାସରେ ୧୫୦୦ ଟଙ୍କା ଦିଆଯିବ। ସେହିପରି ରାଜ୍ୟରେ ନୂଆ ନିଯୁକ୍ତି ବୋର୍ଡ ଗଠନ କରାଯାଇ ବିଜ୍ଞପ୍ତି ପ୍ରକାଶର ୬ ମାସ ମଧ୍ୟରେ ସବୁ ପଦପଦବୀ ପୂରଣ କରାଯିବ ବୋଲି ଦଳ କହିଛି।

ସୂଚନାଯୋଗ୍ୟ, ୨୦୧୭ରେ ୬୮ଟି ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିଲା।

nis-ad
Leave A Reply

Your email address will not be published.