ଦିଅର ସହ କଥା ହେବାରୁ ଗର୍ଭବତୀ ପତ୍ନୀଙ୍କୁ ମାରିଦେଲା ସ୍ବାମୀ

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ବଡ଼ଗାଁ ପଞ୍ଚାୟତ ପଣସଡ଼ିହା ଗ୍ରାମ ଫାଗୁସାହିର ବିବାହିତା ମହିଳା ସୁରୁ ସିଂ(୨୫)ଙ୍କର ଗତକାଲି ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ସ୍ବାମୀ କିଶାନଙ୍କୁ ଅଟକ ରଖି ପୁଲିସ ଜେରା କରୁଥିଲା। ପୁଲିସର ମାରାଥନ ଜେରା ବେଳେ ସବୁ ସତ ଓଗାଳିଛନ୍ତି ଅଭିଯୁକ୍ତ ସ୍ବାମୀ। ଚରିତ୍ରକୁ ସନ୍ଦେହ‌ କରି ପତ୍ନୀରଙ୍କୁ ପିଟି ପିଟି ହତ୍ୟା କରିଥିବା ସେ ମାନିଛନ୍ତି।

ସୂଚନାଯୋଗ୍ୟ, ବର୍ଷକ ପୂର୍ବେ ବିଶୋଇ ଥାନା ଅଧୀନ ବଡ଼ବାଛୁରୀଛୁଆ ଗ୍ରାମ ଗୋପିନାଥ ନାଏକଙ୍କ ଝିଅ ସୁରୁ ପଣସିଡ଼ିହା ଗ୍ରାମର କିଶାନ ସିଂ’ଙ୍କୁ ବିବାହ କରିଥିଲେ। ଏଥିମଧ୍ୟରେ ୨ ମାସର ଗର୍ଭବତୀ ଥିଲେ ସୁରୁ। ସବୁକିଛି ଠିକ୍‌ ଚାଲିଥିବା ବେଳେ ପତ୍ନୀଙ୍କ ଚରିତ୍ରକୁ କିନ୍ତୁ ସନ୍ଦେହ କରି ଆସୁଥିଲେ ସ୍ବାମୀ କିଶାନ।

ଗତକାଲି ସନ୍ଧ୍ୟାରେ ସୁରୁ କିଶାନଙ୍କ ସାନଭାଇ ତଥା ନିଜ ଦିଅରଙ୍କ ସହ କଥା ହେଉଥିବା ବେଳେ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲେ କିଶାନ। ହିତାହିତ ଜ୍ଞାନ ଭୁଲି ଏକ ବାଡ଼ିରେ ସୁରୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କ ହାତ, ଗୋଡ଼, ପିଠି ଓ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଶବ ଜବତ କରିଥିଲେ ବି ରାତି ହୋଇ ଯିବାରୁ ବ୍ୟବଚ୍ଛେଦ ପାଇଁ ପଠାଇ ନଥିଲା। ଆଜି ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ବାପାଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କିଶାନଙ୍କୁ ଗିରଫ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଘନଶ୍ୟାମ‌ ମଲ୍ଲିକ କହିଛନ୍ତି।

nis-ad
Leave A Reply

Your email address will not be published.