ଦାରିଙ୍ଗବାଡ଼ିରେ ପହିଲି ଶୀତ

ଦାରିଙ୍ଗବାଡ଼ି,୨୩/୧୦ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ ଋତୁରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ହେଇଛି। ଅଞ୍ଚଳରେ ଥିବା ହୋଟେଲ ରେଷ୍ଟୁରାଣ୍ଟରେ ବି ଭିଡ଼ ଜମିଲାଣି। ଗତ ଦୁଇବର୍ଷ ଧରି ଦାରିଙ୍ଗବାଡ଼ିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ୍‌ ପ୍ରାୟ ୩ ମାସ ଧରି କରାଯାଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଉକ୍ତ ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କରିବାକୁ ପସନ୍ଦ କରିବା ସହ ଦାରିଙ୍ଗବାଡ଼ିର ପର୍ଯ୍ୟଟନସ୍ଥଳ ବୁଲିବାକୁ ପସନ୍ଦ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଏକ ଛୋଟ ମୁଣ୍ଡିଆ(ପାହାଡ଼) ନିଆଯାଇଛି ଏବଂ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ମୁଣ୍ଡିଆରୁ ବଡ଼ବଡ଼ ପଥର ବାହାର କରାଯାଇ ଜମି ସମତଳ, ବିଦ୍ୟୁତ ସଂଯୋଗ,ରାସ୍ତା ସମ୍ପ୍ରସାରଣ, ପାନୀୟଜଳ ଯୋଗାଣ, କଟେଜ ନିର୍ମାଣ ଆଦି ସମସ୍ତ ବ୍ୟବସ୍ଥା କରାଯାଉଛି। ଉକ୍ତ ପାହାଡ଼ ଚାରିପଟେ ସୌନ୍ଦର୍ଯ୍ୟ ଭରପୂର ହୋଇରହିଥିବା ବେଳେ ଚାରିପଟେ ଦୃଶ୍ୟ ଅତି ମନୋରମ ରହିଛି। ଯାହାକି ଅତୀତରେ କରାଯାଇଥିବା ଇକୋ ରିଟ୍ରିଟ୍‌ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ରହିବ। ସେହିପରି ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରାଯାଉଥିବା ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ କୁହାଯାଇଛି, ୨୦୨୦ରୁ ଆରମ୍ଭ କରଯାଇଥିବା ଇକୋ ରିଟ୍ରିଟ୍‌ ପର୍ଯ୍ୟଟନ ବିଭାଗର ନିଜସ୍ବ ଜମିରେ କରାଯାଇଥିଲା। ଏଥିପାଇଁ ମୁକୁଳା ପଡ଼ିଥିବା ଉକ୍ତ ଜମିକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଚେରି ବୁଲାଯିବା ସହ ବିଦ୍ୟୁତ ସଂଯୋଗ, ପାନୀୟଜଳ ଯୋଗାଣ ସହ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରି ନ ଥିଲା। ଫଳରେ ଜିଲା ପ୍ରଶାସନ ପୁଣି ଏକ ଜମି ଚି଼ହ୍ନଟ କରି ସେଠାରେ ଇକୋ ରିଟ୍ରିଟ୍‌ କାର୍ଯ୍ୟ ପାଇଁ କ୍ଷେତ୍ର ପ୍ରସ୍ତୁତ କାର୍ଯ୍ୟକୁ ଜୋରଦାର ଚଳାଇଛି। ଇକୋ ରିଟ୍ରିଟ୍‌ ଆସନ୍ତା ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି।

nis-ad
Leave A Reply

Your email address will not be published.