ବିଶ୍ୱକପକୁ ପାକିସ୍ତାନର ବୟକଟ ଧମକ: ଜବାବ ରଖିଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପରୁ ଦରକାର ପଡ଼ିଲେ ପାକିସ୍ତାନ ଓହରିଯିବ ବୋଲି କହିବା ପରେ ବିବାଦ ତୀବ୍ର ହୋଇଛି। ଏହାପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ପାକିସ୍ତାନରେ ହେବାକୁ ଥିବା ୨୦୨୩ ଏସିଆ କପ ପାଇଁ ଭାରତ ଇସଲାମାବାଦ ଯିବ ନାହିଁ ବୋଲି କହିଥିଲେ।
ଏହାର ଜବାବରେ ପାକିସ୍ତାନ ଦିନିକିଆ ବିଶ୍ୱକପକୁ ବୟକଟ କରିବାର ଧମକ ଦେଇଥିଲା। ଏବେ ଭାରତର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପାକିସ୍ତାନ ଧମକର ଜବାବ ଦେଇଛନ୍ତି। ସେ କହିଛନ୍ତି, “ଆପଣ ଭାରତକୁ କେବେ ହେଲେ ଅଣଦେଖା କରିପାରିବେ ନାହିଁ। ବିଶ୍ୱକପ ପାଇଁ ବିଶ୍ୱର ସବୁ ବଡ଼ ଟିମ୍‌ ଭାରତତ ଆସିବେ।
ଆସନ୍ତାବର୍ଷ ଭାରତରେ ଦିନିକିଆ ବିଶ୍ୱକପ ହେବ। ବିଶ୍ୱର ଟପ୍‌ ଟିମ୍‌ ଗୁଡ଼ିକ ଏଥିରେ ଭାଗନେବେ। କାରଣ ଭାରତକୁ ଆପଣ କୌଣସି ବି ଖେଳରେ ଅଣଦେଖା କରିପାରିବେ ନାହିଁ। କ୍ରୀଡ଼ା ଜଗତ ପ୍ରତି ଭାରତର ଅବଦାନ ଯଥେଷ୍ଟ ରହିଛି। ବିଶେଷ କରି କ୍ରିକେଟରେ ଅବଦାନ ଅଧିକ। ଭାରତ ବିନା କ୍ରିକେଟର ଅର୍ଥ କ’ଣ? ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ସବୁ ଦଳକୁ ନିମନ୍ତ୍ରଣ କରାଯିବ। ଅନେକ ସମୟରେ ପାକିସ୍ତାନ ଟିମ୍‌ ଭାରତ ଆସିଛି ଓ ଏଠାରେ ଖେଳିଛି। ଭାରତକୁ ବର୍ତ୍ତମାନ କାହାର ନିର୍ଦ୍ଦେଶର ଆବଶ୍ୟକ ନାହିଁ ଓ ଏଥିପାଇଁ କେହି ପଦକ୍ଷେପ ନେବାର ମଧ୍ୟ ଆବଶ୍ୟକ ନାହିଁ। ମୋର ଆଶା ସବୁ ଦେଶ ଆସିବେ ଓ ଏଠାରେ ମ୍ୟାଚ୍‌ ଖେଳିବେ।”

ଏସିଆ କପ ଖେଳିବାକୁ ଭାରତ ପଡ଼ୋଶୀ ପାକିସ୍ତାନକୁ ଯିବନାହିଁ ବୋଲି ଜୟ ଶାହ କହିଥିଲେ। ଏହା ଉପରେ ଶ୍ରୀ ଠାକୁର କହିଛନ୍ତି ଯେ ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ, ତା’ର ନିଷ୍ପତ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନେବ। ସେ କହିଛନ୍ତି, “ସବୁ କିଛି ସବୁବେଳେ ସମ୍ଭବ। କିଏ ଜାଣିଥିଲା ବିଶ୍ୱକୁ କୋଭିଡ ୧୯ ଆସିବ? କିଛି ବି ହୋଇପାରେ। କିନ୍ତୁ ଭାରତୀୟ ଟିମ୍‌ ପାକିସ୍ତାନ ଯିବାର ଚାନ୍ସ ବହୁତ କମ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାର ନିଷ୍ପତ୍ତି ନେବ। ଆମ ପାଇଁ ସବୁଠାରୁ ବଡ଼ ହେଲା ଖେଳାଳିଙ୍କ ସୁରକ୍ଷା।”

nis-ad
Leave A Reply

Your email address will not be published.