ସମ୍ଭାବ୍ୟ ବାତ୍ୟା ନେଇ ଏସ୍‌ଆରସି ପକ୍ଷରୁ ୭ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟତା ନ ଆସିଥିଲେ ବି ସ୍ବତନ୍ତ୍ର ରିଲିଫ କମିସନ (ଏସ୍‌ଆରସି) ପକ୍ଷରୁ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ  ସୂଚନା ଜାରି କରାଯାଇଛି। ଏନେଇ ଏସ୍‌ଆରସି ପକ୍ଷରୁ ଆଜି ଚିଠି ଲେଖି ଉପକୂଳବର୍ତ୍ତୀ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତ ରହିବାକୁ ସଂପୃକ୍ତ ଜିଲ୍ଲାଗୁଡ଼ିକ ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ମଙ୍ଗଳବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି (ବୁଧବାର, ଅକ୍ଟୋବର ୧୯ ତାରିଖ ସକାଳ ୦୮୩୦ ଘଣ୍ଟା ସୁଦ୍ଧା) ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ବେଳେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି।

ତେବେ, ୨୩ ଅକ୍ଟୋବର, ୨୦୨୨ ସକାଳ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ କୌଣସି ବଡ଼ ଧରଣରର ପରିବର୍ତ୍ତନ ବା ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି। କିନ୍ତୁ, ଏହାର ପ୍ରଭାବରେ ୨୨ ଅକ୍ଟୋବରରୁ ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗଭୀର ସମୁଦ୍ର ଅଞ୍ଚଳରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୨ ଅକ୍ଟୋବର ସୁଦ୍ଧା ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।

nis-ad
Leave A Reply

Your email address will not be published.