କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ନାୟକ

ଭୁବନେଶ୍ଵର: ଓଡିଶା କଂଗ୍ରେସର ଗଣମାଧ୍ୟମ ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ। ଦୀର୍ଘ ସମୟ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିବା ପରେ ରାଜନୀତିରେ ପାଦ ଦେଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ସେ ୨୦୧୭ ଅଗଷ୍ଟରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ପାର୍ଟିର ଗଣମାଧ୍ୟମର ଆବାହକ ଏବଂ ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେଇଥିଲା। ତେବେ ମଙ୍ଗଳବାର ଅଚାନକ ସତ୍ୟ ନାୟକ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫା ସଭିଙ୍କୁ ଚକିତ କରିବା ସହିତ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦୁଇ ଦୁଇଟି ପଦରୁ ଇସ୍ତଫା ଦେବା ପରେ ସାମ୍ବାଦିକ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସତ୍ୟ ନାୟକ କହିଛନ୍ତି ଯେ, ସେ ଆଜି କଂଗ୍ରେସର ଗଣମାଧ୍ୟମର ଆବାହକ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛି। ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ନିକଟକୁ ପଠାଇ ଦେଇଛନ୍ତି। ହେଲେ ସେ କଂଗ୍ରେସ ଦଳରେ  ରହିଥିବା ସ୍ପଷ୍ଟ କରିଛନ୍ତି ସତ୍ୟ ପ୍ରକାଶ ନାୟକ। ତେବେ ତାଙ୍କ ବୟାନରୁ ସ୍ପଷ୍ଟ ଭାବେ ଦଳ ପ୍ରତି ସେ ଅସନ୍ତୁଷ୍ଟ ଥିବା ଜଣା ପଡିଛି।

ସେ କହିଛନ୍ତି, ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଲା। ଏଥିପାଇଁ ପ୍ରଦେଶ କଂଗ୍ରେସର ପ୍ରସ୍ତୁତ ପିସିସି ସଦସ୍ୟ ତାଲିକାରେ ୪୨୬ ଜଣଙ୍କ ନାମ ଥିଲା। ହେଲେ ଏଥିରେ ନଥିଲା ମୋର ନାମ। ଯେଉଁମାନେ ଏହି ତାଲିକା ପ୍ରସ୍ତୁତ କରିଛନ୍ତି, ସେମାନେ ନିଶ୍ଚିତ ଭାବେ ଭଲଭାବେ ଭାବିଚିନ୍ତି କରି ପ୍ରସ୍ତୁତ କରିଛନ୍ତି। କଂଗ୍ରେସର ସାଧାରଣ ସଂପାକଦ ଏବଂ ଗଣମାଧ୍ୟମ ଆବାହକ ପରି ଗୁରୁତ୍ଵପୂର୍ଣ୍ଣ ପଦରେ ଥାଇ ବି ପିସିସି ସଦସ୍ୟ ତାଲିକାରେ ମୋ ନାମ ନାହିଁ। ଫଳରେ ମୁଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ମତଦାନ କରି ପାରିଲିନି। ଲାଗୁଛି ମୋ ନିକଟରେ ଯାହା ଗୁଣବତ୍ତା ରହିଛି କଂଗ୍ରେସ ପାଇଁ ତାହା ଆବଶ୍ୟକ ନାହିଁ। ତେଣୁ କଂଗ୍ରେସ ସାଧାରଣ ସଂପାଦକ ଏବଂ ଗଣମାଧ୍ୟମ ଆବାହକ ପଦରୁ ଇସ୍ତଫା ଦେଇଛି।

nis-ad
Leave A Reply

Your email address will not be published.