ତାଲିବାନର ‘ପଥର ଦଣ୍ଡ’ ପୂର୍ବରୁ ଜୀବନ ହାରିଦେଲେ ମହିଳା

କାବୁଲ: ତାଲିବାନର ନିଷ୍ଠୁର ଦଣ୍ଡ ପୂର୍ବରୁ ଜୀବନ ହାରିଛନ୍ତି ଜଣେ ମହିଳା। ତାଲିବାନ ତାଙ୍କୁ ସର୍ବମସମ୍ମୁଖରେ ପଥର ମାଡ଼ କରି ଦଣ୍ଡ ଦେବାକୁ ଯୋଜନା କରିଥିଲା। ହେଲେ ମହିଳା ଜଣଙ୍କ ଏହା ପୂର୍ବରୁ ହିଁ ଭୟରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇ ନେଇଛନ୍ତି। ମହିଳା ଜଣଙ୍କ ଦୋଷ ହେଲା ସେ ଜଣେ ବିବାହିତ ପୁରୁଷଙ୍କୁ ପ୍ରେମ କରୁଥିଲେ।
ଏଥିସହ ତାଙ୍କ ସହ ଘର ଛାଡ଼ି ଫେରାର ହୋଇଯାଇଥିଲେ। ଏହି କାରଣ ପାଇଁ ଆଫଗାନିସ୍ତାନର ଘୋର ପ୍ରଦେଶରେ ରହୁଥିବା ମହିଳାଙ୍କୁ ତାଲିବାନ ପଥର ଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଥିଲା। ଖାମା ପ୍ରେସରେ ପ୍ରକାଶିତ ରିପୋର୍ଟରେ ଅନୁଯାୟୀ, ଶୁକ୍ରବାର ମହିଳା ଜଣଙ୍କ ଜଣେ ବିବାହିତ ପୁରୁଷଙ୍କ ସହ ଫେରାର ହୋଇଯାଇଥିଲେ। ଏକଥା ତାଲିବାନ ଜାଣିବା ପରେ ତାଙ୍କୁ ସର୍ବସମ୍ମୁଖରେ ପଥର ମାଡ଼ କରି ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିଲା। ହେଲେ ତାଲିବାନ ଫୋର୍ସ ମହିଳାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଆତ୍ମହତ୍ୟା କରି ନେଇଛନ୍ତି। ମହିଳା ଯେଉଁ ବିବାହିତ ପୁରୁଷଙ୍କ ସହ ଫେରାର ହୋଇଯାଇଥିଲେ, ତାଙ୍କୁ ତାଲିବାନ ଗୁରୁବାର ଅର୍ଥାତ ଅକ୍ଟୋବର ୧୩ରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା।
ଘୋର ପ୍ରଦେଶର ପୁଲିସ ମୁଖ୍ୟଙ୍କ ମୁଖପାତ୍ର ଅବଦୁଲ ରହମାନ କହିଛନ୍ତି, ମହିଳାଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଥିଲା। ମହିଳାଙ୍କୁ ମୁଖ୍ୟ ରାସ୍ତାରେ ଛିଡ଼ା କରି ତାଙ୍କୁ ପଥର ମାଡ଼ କରାଯାଇଥାଆନ୍ତା। ହେଲେ ଦଣ୍ଡ ପାଇବା ପୂର୍ବରୁ ସେ ଗୋଟିଏ ସ୍କାର୍ଫ ଦ୍ୱାରା ବେକରେ ଫାଶୀ ଲଗାଇ ଝୁଲି ପଡ଼ିଛନ୍ତି।

ଆଫଗାନର ବିଭିନ୍ନ ପ୍ରାନ୍ତରେ ମହିଳାମାନେ ଘରରୁ ଫେରାର ହୋଇ ଯାଉଥିବାରୁ ତାଲିବାନ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏଥିପାଇଁ ଫେରାର ହୋଇଥିବା ଓ ଫେରାର କରାଇଥିବା ଲୋକଙ୍କୁ ସର୍ବସମ୍ମୁଖରେ ଦଣ୍ତ ଦେବାର ନିୟମ ପ୍ରଣୟନ କରାଯାଇଛି।

nis-ad
Leave A Reply

Your email address will not be published.