ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି (୨୦୨୨ ଅକ୍ଟୋବର ୧୬) ୭୭ ବର୍ଷ ବୟସରେ ପାଦ ରଖିଛନ୍ତି। ମାତ୍ର ନବୀନ ଏହି ଜନ୍ମଦିନକୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରି ନାହାନ୍ତି। କିନ୍ତୁ ନବୀନଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି। ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଜନ୍ମଦିନ ଅବସରରେ ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ଜନ୍ମଦିନ ଅବସରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବ ରାଜ୍‌ ବୋମ୍ମଇ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବି‌ରେନ୍‌ ସିଂହ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଶ୍ବେଶ୍ବର ଟୁଡୁ, ପୀୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା, କିରଣ ରିଜୁଜୁ, ନିତିନ ଗଡ଼କରୀ, ହରଦୀପ ସିଂହ ପୁରୀ, ପ୍ରହଲ୍ଲାଦ ଯୋଶୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକ୍‌ତାର ଆବାସ ନକଭି, ପଶୁପତି କୁମାର ପାରସ, ସାଂସଦ ସଂଗୀତା କୁମାରୀ ସିଂହଦେଓ, ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ, ଶିଳ୍ପପତି ନବୀନ ଜିନ୍ଦଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନ ଅବସରରେ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ନୂଆ ଓଡ଼ିଶାର ରୂପକାର, ଆମ କଳା, ସଂସ୍କୃତି ଓ ଐତିହ୍ୟର ରକ୍ଷକ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଦୀର୍ଘାୟୁ ଜୀବନ କାମନା କରୁଛି। ମହାପ୍ରଭୁଙ୍କ କୃପାରୁ ପ୍ରତିଟି ଲୋକଙ୍କ ଉନ୍ନତିରେ ଓଡ଼ିଶାର ବିକାଶ ଆହୁରି ତ୍ୱରାନ୍ୱିତ ହେଉ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି। ବିଜେଡି ତରଫରୁ ନବୀନଙ୍କ ଜନ୍ମଦିନ ପାଳନ କରାଯାଉଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯାଜପୁରରେ ବୈତରଣୀ ନଦୀକୂଳରେ ନବୀନଙ୍କ ଜନ୍ମଦିନ ପାଳନ ପାଇଁ ବଡ଼ଧରଣର ଆୟୋଜନ କରିଛନ୍ତି। ସେଠାରେ ନବୀନଙ୍କ ବଡ ବଡ ହୋଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆଜି (ରବିବାର) ପଡ଼ିଛି। ମୁଖ୍ୟମନ୍ତ୍ରୀ  ‘ମେକ୍ ଇନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଇଥିବାରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁମାନଙ୍କୁ ଶନିବାର ଅନୁରୋଧ କରିଥିଲେ। ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି କହିଥିଲେ।

nis-ad
Leave A Reply

Your email address will not be published.