ଏଣିକି ଷ୍ଟାଫ୍‌ ସିଲେକ୍ସନ କମିସନ କରିବ ଶିକ୍ଷକ ନିଯୁକ୍ତି, ଚାକିରି ପାଇବେ ୭୫୪୦ ଶିକ୍ଷକ

ଭୁବନେଶ୍ୱର: ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ଦ୍ବାରା ଚୟନ ହେବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ। ଆଉ କୌଣସି ବାହାର ସଂସ୍ଥାଙ୍କୁ ନିଯୁକ୍ତି ଲାଗି ଦାୟିତ୍ବ ଦିଆଯିବ ନାହିଁ । ଅନ୍ୟାନ୍ୟ ବିଭାଗରେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ପରି ଓଏସ୍‌ଏସ୍‌ସି ଦ୍ବାରା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରାର୍ଥୀଙ୍କ ଆବେଦନଠାରୁ ଆରମ୍ଭ କରି ପରୀକ୍ଷାଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଷ୍ଟାଫ୍‌ ସିଲେକ୍ସନ କମିସନ କରିବ।

ଗଣଶିକ୍ଷା ବିଭାଗ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ କି ତାହାକୁ ମାନିବାକୁ ଓଏସ୍‌ଏସ୍‌ସି ବାଧ୍ୟ ନୁହେଁ। ସୁବିଧା ଅନୁଯାୟୀ ଚୟନ ପ୍ରକ୍ରିୟା କରିବାକୁ ଓଏସ୍‌ଏସ୍‌ସିକୁ କ୍ଷମତା ଦିଆଯିବ। ଗତ ଦୁଇଟି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା‌ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଇତିମଧ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ପଦ ତାଲିକା ପ୍ରସ୍ତୁତ କରାଯାଇଛି।ଖାଲିଥିବା ମୋଟ ୭ହଜାର ୫୪୦ ପଦରେ ଖୁବ୍‌ଶୀଘ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ। କେବେ ଏହି ନିଯୁକ୍ତି ପ୍ରକ୍ରିୟା ହେବ, ସେନେଇ ଓଏସ୍‌ଏସ୍‌ସି ସହ ଆଲୋଚନା ପରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ତେବେ ୨୦୨୨-୨୩ ଶିକ୍ଷାବର୍ଷରେ ହିଁ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

ବିଭାଗୀୟ ତଥ୍ୟ ଅନୁଯାୟୀ, ଟିଜିଟି ଆର୍ଟସ୍‌ରେ ୧୯୭୦ ପଦ ଖାଲିଥିବା ବେଳେ ଟିଜିଟି ପିସିଏମ୍‌ରେ ୧୪୧୯, ଠିଜିଠି ସିବିଜେଡ୍‌ରେ ୧୨୦୫, ହିନ୍ଦୀରେ ୧୩୫୨, ସଂସ୍କୃତରେ ୭୨୩, ପିଇଟିରେ ୮୪୧, ଊର୍ଦ୍ଦୁରେ ୨୪ ଓ ତେଲଗୁରେ ୬ଟି ଶିକ୍ଷକ ପଦ ଖାଲି ରହିଛି।

nis-ad
Leave A Reply

Your email address will not be published.