୧୩ଶହ ମୁସଲିମ୍‌ଙ୍କୁ ବିବାହ କରାଇଛନ୍ତି ୟୁପି ସରକାର

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାର ଚଳିତବର୍ଷ ୧୩୦୦ରୁ ଅଧିକ ମୁସଲିମ୍‌ ବିବାହ କରାଇଥିବା ଜଣାପଡ଼ିଛି। ମୁସଲିମ୍‌ ସମ୍ପ୍ରଦାୟର ନିକଟତର ହେବାକୁ ଉତ୍ତରପ୍ରଦେଶ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅନ୍ତର୍ଗତ ଏହି ବିବାହ କରାଯାଇଥିଲା। ପୂର୍ବରୁ ବିଭିନ୍ନ ବିଭାଗ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମୂହିକ ବିବାହ ଆୟୋଜନ କରୁଥିଲା। ତେବେ ନୂଆ ଯୋଜନା ଅନୁଯାୟୀ ସାମାଜିକ କଲ୍ୟାଣ ବିଭାଗ ତରଫରୁ ସାମୂହିକ ବିବାହର ଆୟୋଜନ କରାଯାଉଛି। ସାମୁହିକ ବିବାହ ଯୋଜନାରେ ଗତ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ମୋଟ ୧୬,୦୩୩ଟି ବିବାହ କରଯାଇଛି। ସେଥିମଧ୍ୟରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୩୮୭, ଦଳିତ ସମ୍ପ୍ରଦାୟର ୯୩୭୪, ଓବିସି ବର୍ଗର ୪,୬୪୯ ଓ ସାଧାରଣ ବର୍ଗର ୬୨୩ଟି ବିବାହ ଅନୁଷ୍ଠିତ ହୋଇଛି। ଏସବୁ ପାଇଁ ପାଖାପାଖି ୬୦୦ କୋଟି ଟଙ୍କା ବ୍ୟୟ ହୋଇଥିବା ସାମାଜିକ କଲ୍ୟାଣ ବିଭାଗର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି।
ମୋରାଦାବାଦ୍‌ ଡିଭିଜନ୍‌ରେ ୧୫୬୭ଟି, ବାରାଣସୀରେ ୧୪୦୯, ଲକ୍ଷ୍ନୌରେ ୧୨୭୪, କାନପୁରରେ ୧୦୧୪, ମେରଟ୍‌ରେ ୯୬୨, ପ୍ରୟାଗରାଜରେ ୯୩୪, ଗୋରଖପୁରରେ ୯୩୩, ବରେଲିରେ ୮୭୧ଟି ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ସାମାଜିକ କଲ୍ୟାଣ ବିଭାଗର ସଚିବ ହରି ଓମ୍‌ କହିଛନ୍ତି ଚଳିତ ବିବାହ ଋତୁରେ ସାମୂହିକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବହୁ ଆବେଦନ ଆସିଛି।

ବିଭାଗ ତରଫରୁ ଅଧିକରୁ ଅଧିକ ସାମୂହିକ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଚେଷ୍ଟା ଜାରି ରହିଛି। ଏହି ଯୋଜନା ଅନୁଯାୟୀ ସରକାର ପ୍ରତ୍ୟେକ ନବବଧୂଙ୍କୁ ବିବାହ ସମୟରେ ୫୧ ହଜାର ଟଙ୍କା ପ୍ରଦାନ କରିଥାନ୍ତି। ନବବଧୂଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୫ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ବାକି ଟଙ୍କାରେ ସେମାନଙ୍କ ନିମନ୍ତେ ଘରକରଣା ସାମଗ୍ରୀ କିଣାଯାଉଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଯେ କୌଣସି ଜାତି ଓ ସମ୍ପ୍ରଦାୟର ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇପାରିବେ।

nis-ad
Leave A Reply

Your email address will not be published.