୧୪ ଲକ୍ଷ ଲୋକଙ୍କୁ ଜେଲରେ ପୁରାଇଛି ଚୀନ
ବେଜିଂ : ଆଗକୁ ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସ ରହିଛି । ଏହି ସମ୍ମିଳନୀରେ ସି ଜିନପିଙ୍ଗଙ୍କୁ ୩ୟ ଥର ପାଇଁ ରାଷ୍ଟ୍ରପତି ଚୟନ କରାଯିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଅଭୁତପୂର୍ବ ସତର୍କତା ଅବଲମ୍ବନ କରୁଛନ୍ତି । ଯେପରି କୌଣସିଠାରେ ବିରୋଧରେ ସ୍ବର ନ ଉଠିବ ସେଥିପାଇଁ ସଂଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଯାଉଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ସରକାର ଏପର୍ଯ୍ୟନ୍ତ ପ୍ରାୟ ୧୪ ଲକ୍ଷ ଲୋକଙ୍କୁ ଗିରଫ କରି ଜେଲରେ ରଖିଛନ୍ତି । କଂଗ୍ରେସ ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଜେଲରେ ରଖାଯିବ । ଅପରାଧିକ ପୃଷ୍ଠଭୂମି କାରଣରୁ ସେମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବା ପୁଲିସ କହିଛି । ଏହାସହିତ ସଂଖ୍ୟାଲଘୁ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି । କେତେକ ସଂବେଦନଶୀଳ ଅଂଚଳରେ ଅତିରିକ୍ତ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।
ରାଜଧାନୀ ବେଜିଂରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି । ଏପରିକି ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ନିଜ ସହିତ ଆଣିଥିବା ପାଣି ଓ ଅନ୍ୟ ପାନୀୟକୁ ପିଇ ପାରିବେ ନାହିଁ । ସୁରକ୍ଷା ବଳଙ୍କ ଆଗରେ ହିଁ ତାହାକୁ ସେମାନେ ପିଇ ପାରିବେ ।
ବେଜିଂର ଗ୍ରେଟ ହଲ ଅଫ ପିପୁଲ, ତିଆନାମେନ ଛକ ଓ ଜିଙ୍ଗସି ହୋଟେଲକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି । ଏହାର ଆଖପାଖ ଅଂଚଳକୁ ପର୍ଯ୍ୟଟକମାନଙ୍କୁ ଛଡ଼ାଯାଉ ନାହିଁ ।