ଶିବସେନାର ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇ ଖଣ୍ଡା ଓ ଢାଲ ଚିହ୍ନ

ନୂଆଦିଲ୍ଲୀ: ଉଦ୍ଧବ ଠାକେରଙ୍କ ଠାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇଥିବା ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କୁ ଆଜି ନିର୍ବାଚନ କମିଶନ ନୂଆ ଦଳୀୟ ଚିହ୍ନ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଶିବସେନାକୁ ଦୁଇ ଖଣ୍ଡା ଓ ଢାଳ ଚିହ୍ନ ମିଳିଛି। ଏହି ଚିହ୍ନରେ ତାଙ୍କ ଦଳ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ଧେରୀ ଇଷ୍ଟ ଉପ ନିର୍ବାଚନ ଲଢ଼ିବ। ଦିନକ ପୂର୍ବରୁ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ନୂଆ ରାଜନୀତିକ ଦଳର ନାଁ ମିଳିଥିଲା। ସିନ୍ଦେଙ୍କ ଶିବସେନା ବାଲାସାହେବଚି ଶିବସେନା ବା ବାଲାସାହେବଙ୍କ ଶିବସେନା ନାଁ ପାଇଛି।
ନିର୍ବାଚନ କମିଶନ ଗୋଟିଏ ଚିଠିରେ କହିଛନ୍ତି, ସିନ୍ଦେଙ୍କ ପକ୍ଷରୁ ଢାଲ ତଲୱାର ଚିହ୍ନ ପାଇଁ ଆବେଦନ କରାଯାଇଥିଲା। ହେଲେ ଏହା ତାଲିକାରେ ନଥିଲା। ଦୁଇଟି ଖଣ୍ଡା ଓ ଗୋଟିଏ ଢାଲ ପୂର୍ବରୁ ପିପୁଲ୍ସ ଡେମୋକ୍ରାଟିକ ମୁଭମେଣ୍ଟର ଦଳୀୟ ଚିହ୍ନ ରହିଥିଲା। କିନ୍ତୁ ଏହା ୨୦୦୪ରେ ରାଜନୀତିକ ଦଳର ମାନ୍ୟତା ହରାଇଥିଲା।
ଏବେ ସିନ୍ଦେ ଗୋଷ୍ଠୀ ୧୧.୧୦.୨୦୨୨ରେ କରିଥିବା ଅନୁରୋଧକୁ ଆଧାର କରି ନିର୍ବାଚନ କମିଶନ ଦୁଇଟି ଖଣ୍ଡା ଓ ଗୋଟିଏ ଢାଲକୁ ଫ୍ରି ଚିହ୍ନ ତାଲିକାରେ ସାମିଲ କରିଛନ୍ତି। ଏଥିସହ ବିବାଦର ସମାଧାନ ନ ହେବା ଯାଏ ଏହି ଚିହ୍ନକୁ ବ୍ୟବହାର କରିବା ପାଇଁ ସିନ୍ଦେଙ୍କ ଶିବସେନାକୁ ଅନୁମତି ଦିଆଯାଉଛି ବୋଲି କମିଶନ କହିଛନ୍ତି।
ସୋମବାର ନିର୍ବାଚନ କମିଶନ ଉଦ୍ଧବ ଠାକରେଙ୍କୁ ଦଳୀୟ ଚିହ୍ନ ଓ ନାଁ ଦେଇଥିଲେ। ଉଦ୍ଧବଙ୍କ ଦଳର ନାଁ ଶିବସେନା ବାଲାସାହେବ ଉଦ୍ଧବ ଠାକରେ ରହିଛି। ତାଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଥିଲା। ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ଶିବସେନା ଉପରେ ନିଜର ହକ ଜାହିର କରୁଥିଲେ। ହେଲେ ପ୍ରଥମେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ‘ଧନୁ ଓ ତୀର’ର ବ୍ୟବହାର ଉପରେ ରୋକ ଲଗାଇଥିଲେ ବା ଏହାକୁ ଅଚଳ କରିଥିଲେ।
ଏହାପରେ ଦୁଇ ଗୋଷ୍ଠୀଙ୍କୁ ଉପଲବ୍ଧ ଥିବା ଦଳୀୟ ଚିହ୍ନ ପାଇଁ ଆବେଦନ କରିବାକୁ କହିଥିଲେ। ଉଦ୍ଧବ ଗୋଷ୍ଠୀ ତା’ର ଆବେଦନ ଅନୁସାରେ ସୋମବାର ମଶାଲ ଚିହ୍ନ ପାଇଥିଲା।

nis-ad
Leave A Reply

Your email address will not be published.