୧୬ ଦଳିତଙ୍କୁ ବନ୍ଦୀ କରି ନିର୍ଯାତନା, ମାଡ଼ ଯୋଗୁ ଗର୍ଭବତୀ ହରାଇଲେ ସନ୍ତାନ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଚିକ୍କାମାଗାଲୁରୁ ଜିଲ୍ଲାରେ ୧୬ ଜଣ ଦଳିତ ଲୋକଙ୍କୁ ବନ୍ଦୀ କରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ବିଜେପିର ଜଣେ ଦୃଢ଼ ସମର୍ଥକ ନିଜ କଫି ବଗିଚାରେ ବେଶ କିଛି ଦିନ ଧରି ଦଳିତ ସଂପ୍ରଦାୟର ଲୋକଙ୍କୁ ବନ୍ଦୀ କରି ଅକଥନୀୟ ନିର୍ଯାତନା ଦେଇଛନ୍ତି। ପୀଡ଼ିତମାନେ କହିଛନ୍ତି ଯେ ସେମାନଙ୍କୁ ବନ୍ଦୀ କରି ମାଡ଼ ମରାଯାଉଥିଲା। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିଲେ। ମାଡ଼ ଓ ନିର୍ଯାତନା ଯୋଗୁ ସେ ନିଜର ସନ୍ତାନକୁ ହରାଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ମାମଲା ରୁଜୁ କରିଛି ଓ ସମସ୍ତଙ୍କୁ ଉଦ୍ଧାର କରିଛି। ସେହିପରି ଗର୍ଭବତୀଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୁଲିସ୍‌ କହିଛି ଯେ ଜଗଦୀଶ ଗୌଡ଼ା ଓ ତାଙ୍କ ପୁଅ ତିଲକ ଗୌଡ଼ାଙ୍କ ନାଁରେ ମାମଲା ରୁଜୁ ହୋଇଛି। ତେବେ ସେମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
ଜଗଦୀଶ ବିଜେପିର ଜଣେ ଦୃଢ଼ ସମର୍ଥକ ବୋଲି କୁହାଯାଉଛି। କିନ୍ତୁ ଦଳ ତାଙ୍କ ଠାରୁ ନିଜକୁ ଦୂରେଇ ରଖିଛି। ଜିଲ୍ଲାର ଦଳୀୟ ମୁଖପାତ୍ର ବରସିଦ୍ଧି ବେନୁଗଗୋପାଳ କହିଛନ୍ତି, “ଜଗଦୀଶ ବିଜେପିର ସଦସ୍ୟ ନୁହନ୍ତି କିମ୍ବା କର୍ମୀ ନୁହନ୍ତି। ସେ କେବଳ ବିଜେପିକୁ ନିଜ ଆଡ଼ୁ ସମର୍ଥନ କରିଛନ୍ତି। ସେ ଅନ୍ୟ ଭୋଟରଙ୍କ ମାନଙ୍କ ଭଳି ଜଣେ।”
୧୬ ଜଣ ଦଳିତ ଜଗଦୀଶଙ୍କ କଫି ବଗିଚାରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଜେନୁଗାଡ୍ଡେ ଗାଁରେ ଏହି ବଗିଚା ରହିଛି। ପୁଲିସ୍‌ କହିଛି ଯେ ଦିନ ମଜୁରିଆମାନେ ମାଲିକଙ୍କ ଠାରୁ ୯ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେମାନେ ଏହାକୁ ଫେରସ୍ତ କରି ନ ପାରିବାରୁ ସମସ୍ତଙ୍କୁ ବଗିଚାରେ ବନ୍ଦୀ କରି ରଖାଯାଇଥିଲା।
ଅକ୍ଟୋବର ୮ରେ କିଛି ଲୋକ ବାଲେହୋନ୍ନୁର ପୁଲିସ ଷ୍ଟେସନ ଆସିଥିଲେ। ସେମାନଙ୍କ ପରିବାର ସଦସ୍ୟଙ୍କୁ ବନ୍ଦୀ କରି ଜଗଦୀଶ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗର କିଛି ଘଣ୍ଟା ପରେ ସେମାନେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଦିନକ ପରେ ଗର୍ଭବତୀଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା ଓ ନୂଆ ଅଭିଯୋଗ ଚିକ୍କାମାଗାଲୁର ପୁଲିସ୍‌ ମୁଖ୍ୟଙ୍କ ନିକଟରେ ଦାଖଲ କରାଯାଇଥିଲା। ଏସ୍‌ପି ଆମ ପାଖକୁ ଅଭିଯୋଗ ପଠାଇବା ପରେ ଏଫଆଇଆର ରୁଜୁ କରାଯାଇଥିଲା ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।
ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଅଭିଯୋଗ ପାଇବା ପରେ ଗୋଟିଏ ପୁଲିସ୍‌ ଟିମ ଘଟଣାସ୍ଥଳକୁ ଯାଇଥିଲା। ଏହି ସମୟରେ ୮ରୁ ୧୦ ଜଣଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖାଯାଇଥିଲା। ପୁଲିସ୍‌ ଟିମ ମାଲିକଙ୍କୁ ପଚରାଉଚରା କରିବା ପରେ ସମସ୍ତଙ୍କୁ ସେଠାରୁ ମୁକ୍ତି ମିଳିଥିଲା। ସେମାନଙ୍କୁ ପ୍ରାୟ ୧୫ ଦିନ ହେଲା ସେଠାରେ ବନ୍ଦୀ କରି ରଖାଯାଇଥିଲା। ୪ଟି ପରିବାରର ୧୬ ଜଣ ସଦସ୍ୟ ବନ୍ଦୀ ହୋଇ ରହିଥିଲେ। ସମସ୍ତେ ଅନୁସୂଚିତ ଜାତି ବର୍ଗର ଲୋକ।
ମାଡ଼ ଓ ନିର୍ଯାତନା ଯୋଗୁ ନିଜ ପେଟରେ ଥିବା ପିଲାକୁ ହରାଇଥିବା ମହିଳା ଜଣଙ୍କ କହିଛନ୍ତି, “ମୋତେ ଗୋଟିଏ ଦିନ ଘର ଭିତରେ ବନ୍ଦୀ କରି ରଖାଯାଇଥିଲା। ମୋତେ ସେଠାରେ ମାଡ଼ ମରାଯିବା ସହ ଅନେକ ପ୍ରକାରର ଗାଳି ଦିଆଯାଇଥିଲା। ସେମାନେ ମୋ ଫୋନକୁ ମଧ୍ୟ ନେଇଯାଇଥିଲେ।”
ଗର୍ଭବତୀଙ୍କ ମା’ କହିଛନ୍ତି, ଜଗଦୀଶ ଗୌଡ଼ ହିଁ ତାଙ୍କ ଝିଅ ଓ ଜ୍ୱାଇଁଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ସେ ଦୁଇ ମାସର ଗର୍ଭବତୀ ଥିଲା। ମାଡ଼ ଯୋଗୁ ମୋ ଝିଅ ତା’ ପିଲାକୁ ହରାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.