ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେବି ପକ୍କା ଘର ଟିଏ ପାଇବାରୁ ବଞ୍ଚିତ ୭୨ ବର୍ଷୀୟ ବୃଦ୍ଧା : ସରକାରୀ ଯୋଜନା ଏଠି ଧର୍ମକୁ ଆଖିଠାର…
ଝୁପୁଡ଼ି ଘର ପାଲ ତଳେ ବିତୁଛି ବୃଦ୍ଧାଙ୍କ ବୟସର ଅପରାହ୍ନ…
ନିଃସଙ୍ଗ ମଧ୍ୟରେ ବଞ୍ଚିବାର ଲିପ୍ସା ଦାରିଦ୍ର୍ୟ ସହ ସଂଘର୍ଷର ସମ୍ମୁଖିନ ନିମନ୍ତେ କରିଛି ବାଧ୍ୟ
ବାଲିମେଳା: ସାମ୍ପ୍ରତିକ ସମୟରେ ଦେଶରେ ଦାରିଦ୍ର୍ୟ ଦୂରୀକରଣ,ଗରିବୀ ହଟାଅ ନାରା ଦେଇ ପୁଞ୍ଜିପତିଙ୍କ ପୁଞ୍ଜି ବୃଦ୍ଧିରେ ପ୍ରତିଶୃତିବଦ୍ଧ କେନ୍ଦ୍ର ସରକାର ଅନ୍ୟ ପାର୍ଶ୍ଵରେ ମାଆକୁ ସମ୍ମାନ,ଗାଆଁକୁ କାମ ଏବଂ ବସ୍ତିକୁ ବସତି ଉପଯୋଗୀ ବାସ ସ୍ଥାନରେ ପରିଣତ କରିବାର ନାରା ଦେଇ ଦୋତାଲା ଘର ତଥା ଛାତ ଘର ଥିବା ବ୍ୟକ୍ତିଙ୍କ ହିତ ଚିନ୍ତା କରୁଥିବା ରାଜ୍ୟ ସରକାର ତଥା ତାଙ୍କ ସ୍ୱଚ୍ଛ ଶାସନର ଠିକାଦାର ସାଜିଥିବା 5T ବିଭାଗ ପ୍ରତି ମୁହୂର୍ତ୍ତରେ ଓଡ଼ିଶାବାସୀଙ୍କୁ ବିକାଶର ସ୍ବପ୍ନ ଦେଖାଇ ଚାଲିଛନ୍ତି। କିନ୍ତୁ ପ୍ରକୃତରେ ସେ ସ୍ବପ୍ନ ଯେ ଏକ ଦିବା ସ୍ୱପ୍ନ ଏବଂ ବାସ୍ତବରେ ସେ ଯୋଜନା ସମାଜର କେବଳ ଥିଲା ବାଲା ତଥା ସେ ବିକାଶ ନିର୍ଦ୍ଦିଷ୍ଟ ଭାବେ ସମାଜରେ ରାଜନୈତିକ ଦଳ ଓ ସରକାରୀ କଳର ହାତ ବାରିଶୀ ସାଜିଥିବା କିଛି ହାତ ଗଣତି ଉପଭୋକ୍ତାଙ୍କ ପରିସର ମଧ୍ୟରେ ସୀମିତ ରହୁଥିବା ଦେଖିବାକୁ ମିଳୁଛି। ଯାହା ପ୍ରକୃତରେ ଆମେ କହୁ ନାହୁଁ, କହୁଛି ଖୋଦ୍ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ନଂ ୱାର୍ଡ଼ ଆୟାପ୍ପା ଲାଇନ୍ ରେ ଦୀର୍ଘ ଦିନ ଧରି ରହି ଆସୁଥିବା
୭୨ବର୍ଷୀୟା ଭଗବତୀ ପୂଜାରୀ ଓ ତା’ର ପାଲ ଟଣା ଯାଇଥିବା ଝାଟି ମାଟିର ଅସମତୁଲ ଚଟାଣ ବିଶିଷ୍ଟ ଘର । ପ୍ରାୟ ୩୦ବର୍ଷ ହେଲା ଘୋଷିତ ଏହି ବାଲିମେଳା ନଗର,ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ସମୟର କେତେକ ପ୍ରତ୍ୟେକ୍ଷଦର୍ଶୀଙ୍କ ମଧ୍ୟରୁ ଭଗବତୀ ପୂଜାରୀ ପ୍ରାୟ ୩୦ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦୁର୍ଗା ସାହି ନିକଟରେ ରହି ଆସିଥିବା ବେଳେ ପ୍ରାୟ ୧୩/୧୪ ବର୍ଷ ଧରି ଏହି ଆୟାପ୍ପା ଲାଇନ୍ ରେ ରହି ଆସୁଛନ୍ତି । ସବୁଠାରୁ ବଡ଼ ବିଡ଼ମ୍ବନା ହେଲା ପ୍ରାୟ ୯ବର୍ଷ ତଳେ ସାରା ଜୀବନ ହାତଧରି ଚାଲିବାର ପ୍ରତିଶୃତିବଦ୍ଧ ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜୀବନ ସାଥୀ ହଳଧର ପୂଜାରୀ ମଧ୍ୟ ଇତିମଧ୍ୟରେ କାଳର କରାଳ ସ୍ରୋତରେ କେଉଁଠି ନିଶ୍ଚିହ୍ନ ହୋଇଯାଇଛନ୍ତି। ତେବେ ସନ୍ତାନ ସନ୍ତତିରୁ ବଞ୍ଚିତ ଭଗବତୀ ବର୍ତ୍ତମାନ ଜୀବନ ଯୁଦ୍ଧରେ ସମ୍ପୂର୍ଣ୍ଣ ଏକା। ବିକାଶର ମହିମା ମଣ୍ଡନ କରୁଥିବା ପକ୍କା ଘର,ଛାତ ଘର, ବଡ଼ ବଡ଼ କୋଠା ଘର ତଥା ସୁଉଚ୍ଚ ଅଟ୍ଟାଳିକା ଗହଣରେ ମାଟିର ଏହି ଝୁପୁଡ଼ି ଘରକୁ ପଲସ୍ତରା କରିବାକୁ ମଧ୍ୟ ଅସମର୍ଥ ଥିବା ବୃଦ୍ଧା ଭଗବତୀ ଆବାସଟିଏ ପାଇଁ ତୃଷାର୍ତ୍ତ ଚାତକ ଭଳି ଚାହିଁ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନର କରୁଣ ଦୃଷ୍ଟି ତଥା ‘ମୋ ସରକାର’ ମାର୍କା ଅପହଞ୍ଚ ହୋଇ ଯାଇଛି ଭଗବତୀଙ୍କ କୁଡ଼ିଆ ଘର ପରିପ୍ରେକ୍ଷୀରେ। ତେବେ ପ୍ରକାଶ ଥାଉ କି ଇତି ମଧ୍ୟରେ ସରକାର ଏବଂ ସ୍ଥାନୀୟ ପ୍ରଶାସନଙ୍କ ଉଦ୍ୟମରେ ପ୍ରାୟ ୩ଟି ପର୍ଯ୍ୟାୟରେ ବିଜ୍ଞାପିତ ଅଞ୍ଚଳର ୧୨୦୦ରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଉପକୃତ ହୋଇଥିବା ସୂଚନା ସାର୍ବଜନୀନ କରୁଥିବା ସମୟରେ ପ୍ରଶ୍ନ ଉଠୁଛି , ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଲାଗିଥିବା ବଡ଼ ବଡ଼ ଅକ୍ଷରର ‘ମୋ ସରକାର’ ପ୍ରକୃତରେ କ’ଣ ଭଗବତୀ ପୂଜାରୀଙ୍କ ସରକାର ନୁହେଁ କି ? ନବୀନ ବାବୁଙ୍କ ସାଢ଼େ ଚାରି କୋଟି ଓଡ଼ିଆ ପରିବାର ମଧ୍ୟରେ କ’ଣ ସାମିଲ୍ ନାହାନ୍ତି ଭଗବତୀଙ୍କ ଏକମାତ୍ର ସଦସ୍ୟ ବିଶିଷ୍ଟ ପରିବାର ? ନରେନ୍ଦ୍ର ମୋଦୀଙ୍କ ସ୍ନେହର ଦେଶବାସୀ ଭାଇ ଓ ଭଉଣୀ,ମିତ୍ର ମାନଙ୍କ ମଧ୍ୟରେ ଭଗବତୀ ଏକ ଅଂଶ ବିଶେଷ ନୁହନ୍ତି କି ? ବାଲିମେଳାର ସ୍ଥାନୀୟ ପ୍ରଶାସନ କ’ଣ ଧୃତରାଷ୍ଟ୍ର ପାଲଟିଛନ୍ତି କି ? ସର୍ବୋପରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହା ସ୍ୱାର୍ଥରେ କାର୍ଯ୍ୟକାରୀ ହେଉଛି ? ଏବଂ କେଉଁ ମାନେ ଏହି ସେବା ପରିସରଭୁକ୍ତ ହୋଇ ପାରିଛନ୍ତି ଯଦି ଏକାଧିକ ଭଗବତୀ ପୂଜାରୀ ଏହି ସରକାରୀ ଯୋଜନାକୁ ଅପେକ୍ଷା କରି କରି ଆଜି ମଧ୍ୟ ଉକ୍ତ ସେବାରୁ ବଞ୍ଚିତ । ତେବେ ସ୍ଥାନୀୟ ବସ୍ତି ବାସିନ୍ଦା, ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ତଥା ବୁଦ୍ଧିଜୀବୀ ମହଲରେ ଭଗବତୀଙ୍କ ନିମନ୍ତେ ଏକ ବାସୋପଯୋଗୀ ଘର ନିମନ୍ତେ ତୁରନ୍ତ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ଥିବା କହିଛନ୍ତି।
ସେପଟେ ଭଗବତୀଙ୍କ ମନରେ ଏବେ ମଧ୍ୟ ଏକ ବିରାଟ ଆଶା ସତେଜ୍ ରହିଥିବା ସହ ଶୁଖିଲା ଓଠରେ ମୃତ୍ୟୁକୁ ଅପେକ୍ଷା ଜନିତ କେଇ ପଦ କଥା ଗୁଞ୍ଜରିତ ହେଉଛି ,
” କେଉଁ ଦିନ ତମେ ଆସିବ ମରଣ,ସେ ସନ,ତାରିଖ କୁହ ?
ଜାଣିଲେ କରିବି ଆଜିଠୁଁ ଯୋଗାଡ଼ ଆପଣାର ଶବଦାହ ।
ତମ ଆସିବାର ଦିନଟି ଜାଣିଲେ ଆଗରୁ ତାହାର ଯାଇ-
ଉପଗତ ହେବି ଶମଶାନ ଭୂମେ,ନେବା ପାଇଁ କେହି ନାହିଁ ।।”