ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ; ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକାର୍ପଣ କରିଛନ୍ତି।ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଆରମ୍ଭ ହେବାକୁ ଯାଉ ଥିବା ବେଦ ବିଦ୍ୟାଳୟରେ ବେଦ ଭୁଷଣ ଚତୁର୍ଥ, ବେଦ ବିଭୂଷଣ ପଞ୍ଚମ ତଥା ବେଦ ବିଭୁଷଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ।

ଛାତ୍ରମାନଙ୍କ ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଶୁଳ୍କ ରହିବ। ଏହି ଆଦର୍ଶ ବେଦ ବିଦ୍ୟାଳୟରେ ବୈଦିକ ସଂସ୍କୃତି ଓ ଜ୍ଞାନର ଅନୁରୂପ ଛାତ୍ରମାନେ ନିର୍ଦ୍ଧାରୀତ ପାରମ୍ପରିକ ବେଶଭୂଷା ପରିଧାନ ଏବଂ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନ କରିବେ। ଛାତ୍ରମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ଫ୍ୟୁଟର ଓ କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବ। ଏହାଛଡା କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି। ଅନୁରୂପ ଭାବରେ ଛାତ୍ରମାନେ ଋଗବେଦ, ଯଜୁର୍ବେଦ, ସାମବେଦ ଓ ଅର୍ଥବ ବେଦର ଗୋଟିଏ ଗୋଟିଏ ଶାଖାରେ ଛାତ୍ରମାନଙ୍କ ଉପଲବ୍ଧତା ଆଧାରରେ ପ୍ରବେଶ ଦିଆଯିବ। ଏହାଦ୍ୱାରା ବେଦ ପ୍ରତିଷ୍ଠାରେ ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଭାରତର ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ ବୋଲି କହିଛନ୍ତି।

ସେ କହିଛନ୍ତି, ଉଜ୍ଜୟିନୀସ୍ଥିତ ମହର୍ଷି ସନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତୀତ ବାହାରେ ୫ଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଅନ୍ୟ ତିନୋଟି ଧାମ ସମେତ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ଲେଖାଏଁ ଆଦର୍ଶ ବେଦ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କର ମଙ୍ଗଳ ଆଳତୀ ଦର୍ଶନ କରିଥିଲେ।

nis-ad
Leave A Reply

Your email address will not be published.