ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି ୦୩/୧୦: କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁ ହିଁ ବୁଝାଇଥାଏ । ଭବାନୀପାଟଣା ରେ ଅବସ୍ଥିତ ମାଣିକେଶ୍ୱରୀଙ୍କ ପୀଠରେ ବୈଦିକ ରୀତି ରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ଆଦିବାସୀ ସଂସ୍କୃତି ର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନା ଏକ ନିଆରା ପରମ୍ପରା ବେଶ ପ୍ରାଚୀନ ।

ମୂଳାଷ୍ଟମୀରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନ ବ୍ୟାପି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମହାନବମୀ ତିଥିରେ ଅନୁଷ୍ଠିତ ହେଇଥାଏ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆଦିବାସୀ ବହୁଳ ଏହି ଅଞ୍ଚଳର ଆଦିବାସୀ ମାନେ କାଠର ଖମ୍ବ, ପ୍ରସ୍ତର ଖଣ୍ଡକୁ ମାଟିରେ ପୋତି ଧରଣୀ ପେନୁ, ମାଇଲି, ଡୋକରି, ଖମ୍ବେଶ୍ୱରୀ ନାମରେ ପୂଜା କରି ଆସୁଥିବା ବେଳେ ବୁଢ଼ାରଜା, କଳାପାହାଡ଼, ଭୈରବ, ବାଲି ଭୈରବ, ଅଗ୍ନି ଆଦି ଦେବତା ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଦଶ ମହାବିଦ୍ୟାର ପ୍ରଥମ ମହାବିଦ୍ୟା ମହାକାଳୀ ରୂପରେ କ୍ରିଂ ବୀଜ ମନ୍ତ୍ର ରେ ମାଣିକେଶ୍ୱରୀ ଙ୍କ ଆରାଧନା କରାଯାଉଥିବା ବେଳେ ଆଦିବାସୀ ସଂସ୍କୃତି, ପରମ୍ପରା ଓ କୁଳାଚାର ସହ ବୈଦିକ ସଂସ୍କୃତି ରେ ପରିପୃଷ୍ଠ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନନ୍ୟ ଏବଂ ସ୍ୱତନ୍ତ୍ର । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ତିଥିରେ ଦେବୀଙ୍କ ମୁଣ୍ଡବସା ପର୍ବରୁ ଦଶହରା ଯାତ୍ରା ର ଆରମ୍ଭ ହେଇ ମହାଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନ ଧରି ତାମିତ୍ର ବିଧି ଅନୁସାରେ ଷୋଡଶ ଉପଚାର ଓ ତ୍ରିକାଳ ଚଣ୍ଡୀପାଠ ପରେ ମହାନବମୀ ତିଥିର ପ୍ରତ୍ୟୁଷରୁ ଛତର ଯାତ୍ରା ଏବଂ ବିଜୟ ଦଶମୀ ତିଥିରେ ଲାଖମରା ପର୍ବ ବା ବାହୁଡା ଛତର ଯାତ୍ରା ସହ ଉଦଯାପିତ ହେଇଥାଏ ।

ପ୍ରତିବର୍ଷ ଆଶ୍ୱିନ, ମୂଳାଷ୍ଟମୀ ତିଥିରେ ମାଣିକେଶ୍ୱରୀ ଙ୍କ ମାଟି ନିର୍ମିତ ନୂତନ ମୁଣ୍ଡ ସ୍ଥାପନ ପୂର୍ବକ ନବ କଳେବର ଅନୁଷ୍ଠିତ କରାଯାଇଥାଏ । ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କିମି ରାସ୍ତାରେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ମାଙ୍କର ବିଜୟ ପ୍ରତିମା ଛତରକୁ ଧୂପ ଦୀପ ନୈବେଦ୍ୟ ସହ ନିଜର ସୁଖ ଓ ସମୃଦ୍ଧି କାମନା କରି ହଜାର ହଜାର ଛାଗଳ ବଳି ଦେଇ ଦେବୀଙ୍କ ସ୍ୱାଗତ କରି ଥାନ୍ତି । ଏହା ବ୍ୟତୀତ ବିଶ୍ୱ ଶାନ୍ତି, ମୈତ୍ରୀ ଓ ଭାତୃଭାବ ର ପ୍ରତୀକ ଶକ୍ତିର କପୋତ(ପାରା)କୁ ମା ଙ୍କ ଛତର ଉପରକୁ ଉଡାଇଥାନ୍ତି ।

ବିଜୟ ଦଶମୀ ତିଥିରେ ମା ଙ୍କର ଛତର କୁ ଭବାନୀପାଟଣା ସହର ର ପଶ୍ଚିମ ଉପକଣ୍ଠ ରେ ନକଟିଗୁଡା ଠାରେ ଥିବା ଲାଖମରା ପଡିଆ କୁ ନିଆଯାଇଥାଏ । ସେଠାରେ ପୂଜାର୍ଚ୍ଚନା କରି ଲାଖବିନ୍ଧା ପର୍ବ ହେଇଥାଏ । ପୂଜା ମଣ୍ଡପ ନିକଟରେ ଥିବା ଆମ୍ବଗଛ ଉପରେ ଏକ ଛୋଟ ମାଟି ହାଣ୍ଡି ରେ ନିର୍ମିତ ଲାଖ ବନ୍ଧା ଯାଇଥାଏ । ବନ୍ଧୁକ ଦ୍ୱାରା ଲାଖ ବିନ୍ଧିବା ପ୍ରତିଯୋଗିତାରେ ବହୁ ଯୁବକ ଭାଗ ନେଇଥାନ୍ତି ।

ଲାଖ ବିନ୍ଧିବାରେ ସଫଳ ହେଇଥିବା ବ୍ୟକ୍ତି ଙ୍କୁ ରାଜପରିବାର ପକ୍ଷରୁ ସମ୍ମାନିତ କରାଯାଇଥାଏ । ଲାଖମରା ସରିବା ପରେ ମା ଙ୍କର ଛତର କୁ ଘୁମୁରା ବାଦ୍ୟ ବିର କାହାଳୀ ଓ ନିଶାନ୍ ବାଦ୍ୟର ତାଳେତାଳେ ମନ୍ଦିର କୁ ଅଣାଯାଇଥାଏ । ଯାହାକୁ ବାହୁଡା ଛତର ଯାତ୍ରା କୁହାଯାଇଥାଏ । ମୂଳାଷ୍ଟମୀ ତିଥିରେ ମୁଣ୍ଡବସା ଠାରୁ ଆରମ୍ଭ ହେଇଥିବା ମାଣିକେଶ୍ୱରୀ ଙ୍କ ଦଶହରା ବା ଛତର ଯାତ୍ରା ବିଜୟ ଦଶମୀ ତିଥିରେ ଶେଷ ହେଇଥାଏ।

nis-ad
Leave A Reply

Your email address will not be published.