ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ନେତାବୃନ୍ଦ

ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଦେଶବ୍ୟାପୀ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି। ବିଶେଷ କରି ରାଜଘାଟରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସମସ୍ତଙ୍କ ମନ୍ତ୍ରୀ ଓ ନେତାବୃନ୍ଦ ଉପସ୍ଥିତ ହୋଇ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୈଷ୍ଣବ ଜନ ତୋ ଧୂନରେ ଝଙ୍କୃତ ହୋଇଥିଲା ରାଜଘାଟର ପରିବେଶ। ଏହାପରେ ସର୍ବଧର୍ମ ସମନ୍ୱୟ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବାପୁଙ୍କୁ ମନୋପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟର୍‌ରେ ପୋଷ୍ଟ୍‌ କରି ସେ ଲେଖିଛନ୍ତି, ‘ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଭାରତ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବାରୁ ଏଥର ଗାନ୍ଧୀ ଜୟନ୍ତୀ ବିଶେଷ ଗୁରୁତ୍ୱ ବହନ କରୁଛି। ଆମେ ସଦାସର୍ବଦା ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥାଉ।’ ଦିଲ୍ଲୀରେ ଥିବା ଗାନ୍ଧୀଜୀଙ୍କ ସମାଧିସ୍ଥଳ ରାଜଘାଟରେ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଖଦୀ ଓ ହସ୍ତଶିଳ୍ପ ସାମଗ୍ରୀ  କିଣନ୍ତୁ ବୋଲି ଜନସାଧରଣଙ୍କୁ ଅନୁରୋଧ କରି କହିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜାତିର ପିତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ‘ମହାତ୍ମା ଗାନ୍ଧୀଙ୍କର ୧୫୩ତମ ଜୟନ୍ତୀ ଅବସରରେ ମୁଁ ଦେଶବାସୀଙ୍କ ତରଫରୁ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଶାନ୍ତି, ସମାନତା ଓ ସାମ୍ପ୍ରଦାୟିକ ସହାବସ୍ଥାନର ମୂଲ୍ୟବୋଧ ପ୍ରତି ପୁନଃ ଉତ୍ସର୍ଗ ହେବା ପାଇଁ ଏହା ଗୋଟାଏ ଅବସର।’

ସେହିପରି, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ ଟୁଇଟ୍‌ କରି ‘ଆନ୍ତର୍ଜାତିକ ଅହିଂସା ଦିବସ’ ପାଳନ କରିବା ସହ ଗାନ୍ଧୀଜୀଙ୍କ କଥା ମନେ ପକାଇଛନ୍ତି।

nis-ad
Leave A Reply

Your email address will not be published.