ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ: ସ୍ବଳ୍ପ କ୍ଷମତାସମ୍ପନ୍ନ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଲେ ପୁଟିନ୍‌ଙ୍କ ମିତ୍ର

ମସ୍କୋ: ଜୟ କରିଥିବା ୟୁକ୍ରେନୀୟ ନଗରୀ ଲିମାନ୍‌ରୁ ରୁଷୀୟ ସେନା ପ୍ରତ୍ୟାହୃତ ହେବା ପରେ ‘ଚେଚେନ୍‌ ସାଧାରଣତନ୍ତ୍ର’ର ନେତା ରମ୍‌ଜାନ୍‌ କାଦିରୋଭ୍‌ ଯୁଦ୍ଧକ୍ଷେତ୍ରରେ ସ୍ବଳ୍ପ କ୍ଷମତାବିଶିଷ୍ଟ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପ୍ରସ୍ତାବ ଦେଇଥିବା କଥା ‘ସିଏନ୍‌ଏନ୍‌’ ରିପ‌ୋର୍ଟ କରିଛି।

ୟୁକ୍ରେନ୍‌ରେ ରୁଷୀୟ ସେନା କ୍ରମାଗତ ପରାସ୍ତ ହେଉଥିବା ଦେଖି ଯୁଦ୍ଧକ୍ଷେତ୍ରରେ ଆଣବିକ ଅସ୍ତ୍ରପ୍ରୟୋଗ ପାଇଁ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ଚାପ ପଡୁଛି ବୋଲି ମଧ୍ୟ ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

‘ଟେଲିଗ୍ରାମ୍‌’ ଚାନେଲ୍‌ରେ କାଦିରୋଭ୍‌ କହିଛନ୍ତି, ସୁପ୍ରିମ୍‌ କମାଣ୍ଡର୍‌-ଇନ୍‌-ଚିଫ୍‌ଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ କ’ଣ ରିପୋର୍ଟ ଦେଲା ମୁଁ ଜାଣେନି। କିନ୍ତୁ, ମ‌ୋ ବ୍ୟକ୍ତିଗତ ମତ ହେଉଛି, ସୀମାନ୍ତ ଇଲାକାରେ ମାର୍ସାଲ୍‌ ଲ’ ଘୋଷଣା ଏବଂ ସ୍ବଳ୍ପ ଶକ୍ତିସମ୍ପନ୍ନ ଆଣବିକ ଅସ୍ତ୍ର ପ୍ରୟୋଗ ସମେତ ଆମେ ଆହୁରି କଠୋର ପଦକ୍ଷେପ ନେବା ଉଚିତ। ପାଶ୍ଚାତ୍ୟ ଆମେରିକୀୟ ସମ୍ପ୍ରଦାୟଙ୍କ କଥା ପ୍ରତି ଧ୍ୟାନ ଦେଇ ପ୍ରତ୍ୟେକ ନିଷ୍ପତ୍ତି ନେବା ଅନାବଶ୍ୟକ।

ଯୁଦ୍ଧ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଲିମାନ ନଗରୀରୁ ରୁଷୀୟ ସେନା ପ୍ରତ୍ୟାହାର ଚାଲିଥିବା ବେଳେ ଚେଚେନ୍‌ ନେତା କାଦିରୋଭ୍‌ ରୁଷୀୟ ସେନାପତିମାନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, କ୍ରେମ୍‌ଲିନ୍‌ ଚରମ ପଦ‌କ୍ଷେପ ଗ୍ରହଣ କରିବାର ସମୟ ଉପଗତ।

ସେହିପରି, ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ରୁଷ୍‌ର ରାଷ୍ଟ୍ରପତି ଥିବା ଡିମିତ୍ରି ମେଦ୍‌ଭେଦେଭ୍‌ ମଧ୍ୟ ଗତ ସପ୍ତାହ ପ୍ରାରମ୍ଭରେ ଆଣବିକ ଅସ୍ତ୍ରଶସ୍ତ୍ର କଥା ଆଲୋଚନା କରି ‘ଟେଲିଗ୍ରାମ୍‌’ ଚାନେଲ୍‌ରେ ଲେଖିଥିଲେ, ଆମ ନିର୍ଦ୍ଧାରିତ ସୀମା ଅପେକ୍ଷା ରୁଷ୍‌ ପ୍ରତି ଅତିରିକ୍ତ ବିପଦ ଆସିଲେ ଆମକୁ ଜବାବ ଦେବାକୁ ପଡ଼ିବ- ଏଇଟା ମିଛ ନୁହେଁ।

nis-ad
Leave A Reply

Your email address will not be published.