ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ରେ ବିଶ୍ୱ ହୃଦୟ ଦିବସ

ଭୁବନେଶ୍ୱର ୩୦/୦୯ : କରୋନା ମହାମାରୀ ମଣିଷର ସ୍ୱାସ୍ଥ୍ୟଗତ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ଏଭଳି ପରିସ୍ଥିତିରେ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ମାନସିକ ଚାପ ନିୟନ୍ତ୍ରଣ ଦ୍ୱାରା ହିଁ ହୃଦଘାତ ଭଳି ସମସ୍ୟାକୁ ଏଡାଇ ହେବ ବୋଲି ବିଶ୍ୱ ହୃଦୟ ଦିବସ ଅବସରରେ ଗୁରୁବାର ହୃଦରୋଗ ବିଶେଷଜ୍ଞମାନେ କହିଛନ୍ତି। ଏକ ଆତ୍ମ କୈନ୍ଦ୍ରିକ ମଣିଷ ଅଧିକ ଚାପରେ ରହିଥାଏ। ତେଣୁ ମାନସିକ ଚାପରେ ନିୟନ୍ତ୍ରଣ ଆଣିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱ ହୃଦୟ ଦିବସରେ ଏକ ଉପସ୍ଥାପନା ମାଧ୍ୟମରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କାର୍ଡିଓ ଭାସ୍କୁଲାର ଆଣ୍ଡ ଥୋରସିକ୍ ସର୍ଜରୀ ବିଭାଗର ବରିଷ୍ଠ ପରାମର୍ଶଦାତା (ସିନିୟର କନ୍‌ସଲ୍‌ଟାଣ୍ଟ) ଡାକ୍ତର ବନବିହାରୀ ମିଶ୍ର କହିଛନ୍ତି।

ଡାକ୍ତର ମିଶ୍ର କହିଛନ୍ତି କରୋନା ପାଇଁ ଅନେକ ମୃତ୍ୟୁ ହୋଇଛି ଓ ଏହା ଗୁରୁତର ଭାବେ ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ଅନେକ ଲୋକଙ୍କ ରକ୍ତ ଜମାଟ ବାନ୍ଧିବାରେ ମଧ୍ୟ ସମସ୍ୟା ଦେଖାଦେଇଛି। ତେଣୁ ଲୋକମାନେ ନିଜ ଖାଦ୍ୟାଭ୍ୟାସକୁ ନେଇ ଅଧିକ ସଚେତନ ହେବା ସହ ଅବ୍ୟବସ୍ଥିତ ଜୀବନଶୈଳୀକୁ ସଜାଡିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ପ୍ରତ୍ୟେକ ଦିନ ୩୦ ରୁ ୪୫ ମିନିଟ୍ ଚାଲିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଏହି ଅବସରରେ ଡାକ୍ତରଖାନାର ସିନିୟର କନ୍‌ସଲ୍‌ଟାଣ୍ଟ ତଥା ହୃଦରୋଗ ବିଭାଗର ମୁଖ୍ୟ ଡାକ୍ତର ଶରତ କୁମାର ସାହୁ ନିୟନ୍ତ୍ରିତ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ମାନସିକ ଚାପକୁ ଏଡ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଶରୀରରେ ଶର୍କରାର ସ୍ତରକୁ କମ୍ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଲେ ଧମନୀରେ କୋଲେଷ୍ଟ୍ରଲ୍‌ର ମାତ୍ରା କମିବ ବୋଲି ଡାକ୍ତର ସାହୁ କହିଛନ୍ତି।  ହୃଦବିଜ୍ଞାନ କ୍ଷେତ୍ରରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଉଥିବା ବେଳେ ହୃଦରୋଗ କ୍ଷେତ୍ରରେ କମ୍ ମାତ୍ରାରେ ଇନ୍‌ଭେସିଭ୍ ଟ୍ରାନ୍ସକ୍ୟାଥେଟର୍ ଚିକିତ୍ସା ଅଧିକ ଗ୍ରହଣୀୟ ହେଉଛି ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ ଅଲ୍ଟିମେଟ ମେଡିକେୟାରର ହୃଦ ରୋଗ ବିଭାଗରେ ଅତ୍ୟାଧୁନିକ ସରଞ୍ଜାମ ସହିତ ପ୍ରଶିକ୍ଷତ ବ୍ୟକ୍ତି ନିୟୋଜିତ ଅଛନ୍ତି । ଆଗାମୀ ଦିନରେ ଭାଲ୍‌ଭ କ୍ଲିନିକ୍‌, କରୋନାରୀ କ୍ଲିନିକ୍‌, ହାର୍ଟ ଫେଲ୍ୟୁୟର୍ କ୍ଲିନିକ୍‌, ପେଡିଆଟ୍ରିକ୍ କ୍ଲିନିକ୍ ଏବଂ ଆରିଥମିୟା କ୍ଲିନିକ ଆରମ୍ଭ କରିବାର ଯୋଜନା ରହିଛି ବୋଲି କୁହାଯାଇଛି। ସେହିପରି ପେଡିଆଟ୍ରିକ୍ କାର୍ଡିଆକ୍ ସର୍ଜରୀ ଓ ରୋବୋଟିକ୍ କାର୍ଡିଆକ୍ ସର୍ଜରୀ ୟୁନିଟ୍ ସହିତ ହାର୍ଟ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାଂଟ ସର୍ଜରୀ ଆରମ୍ଭ କରିବାର ଯୋଜନା ରହିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି।

ବିଶ୍ୱରେ ଅଧିକାଂଶ ମୃତ୍ୟୁ ହୃଦଘାତ ପାଇଁ  ହେଉଛି। ସେହିପରି ପୃଥିବୀର ଭାରତରେ ୬୦ ପ୍ରତିଶତ ହୃଦରୋଗୀ ଅଛନ୍ତି ବୋଲି ଡାକ୍ତରଖାନାର ଇନ୍‌ଟରଭେସ୍‌ନାଲ୍ କାର୍ଡିଓଲୋଜିଷ୍ଟ ତଥା ସିନିୟର୍ କନ୍‌ସଲ୍‌ଟାଣ୍ଟ ଏହି ଅବସରରେ ଡାକ୍ତର ବିଭୁତେନ୍ଦ୍ର ମହାନ୍ତି। ଡାକ୍ତର ମହାନ୍ତି ଆହୁରି କହିଛନ୍ତି ଯେ, ଆମେ ହୃଦଘାତ ଜନିତ କୌଣସିବି ସଂକେତକୁ ଅଣଦେଖା କରିବା ଉଚିତ୍ ନୁହେଁ। କାରଣ ଏକ ତୃତୀୟାଂଶ ହୃଦରୋଗୀଙ୍କ କ୍ଷେତ୍ରରେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥାଏ। ସେହିପରି ଇସିଜି (ଇଲୋକ୍ଟ୍ରୋ କାର୍ଡିଓଗ୍ରାମ) ରିପୋର୍ଟରେ ସବୁ ଠିକ୍ ଥିଲେ ମଧ୍ୟ ହୃଦଘାତ ହେବାର ସମ୍ଭାବନା ନାହିଁ ବୋଲି କହିହେବ ନାହିଁ।

ଏହି କାର୍ଯ୍ୟକ୍ରମରେ ସୋଆ (ଶିକ୍ଷା ଓ ଅନୁସନ୍ଧାନ)ର ଚ୍ୟାନ୍‌ସେଲ୍‌ର ପ୍ରଫେସର ଡି.ପି. ରାୟ, କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, କଣ୍ଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସମ୍‌ ମେଡ଼କାଲ୍‌ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍‌ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ  ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ନର୍ସିଂ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସମ୍‌ ମେଡ଼ିକାଲ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ସମ୍‌ର ଡେପୁଟି ମେଡିକାଲ ସୁପରିଟେଣ୍ଡଣ୍ଟ ଡାକ୍ତର ଆନନ୍ଦ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୂର୍ବରୁ ସିଏମ୍‌ଏସ୍ ବ୍ରିଗେଡିୟର୍ ମିଶ୍ର, ହୃଦ୍‌ବିଜ୍ଞାନ ବିଭାଗର କନ୍‌ସଲ୍‌ଟାନ୍ସ, ଅନ୍ୟାନ୍ୟ ବିଭାଗର ମୁଖ୍ୟ, ରୋଗୀମାନଙ୍କର ଆଟେମଣ୍ଡାଣ୍ଟ ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ସମ୍‌ ଡାକ୍ତରଖାନାରେ ଏକ କେକ୍ କଟାଯାଇଥିଲା।

nis-ad
Leave A Reply

Your email address will not be published.