ମୋ ନିମନ୍ତ୍ରଣକୁ ରାଜନୀତି କରିଦେଲେ: କେଜ୍ରିୱାଲଙ୍କୁ ଡାକି ଘରେ ଖୁଆଇବାର ରହସ୍ୟ କହିଲେ ଅଟୋ ଡ୍ରାଇଭର

ଅହମ୍ମଦାବାଦ: ରାଜନୀତିରେ କେତେବେଳେ କ’ଣ ହେବ ତାହା କେହି କହିପାରିବେ ନାହିଁ। ଜଣେ ଭୋଟର କେବେ କାହାର ପ୍ରଶଂସକ ହୋଇପାରନ୍ତି ତ ପୁଣି କେବେ ତାଙ୍କ ବିରୋଧରେ ମଧ୍ୟ କହିପାରନ୍ତି | ଆଜି ଆମେ ଆପଣଙ୍କୁ ଗୁଜୁରାଟର ଏକ ଘଟଣା ବାବଦରେ କହିବୁ | କିଛିଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୁଜୁରାଟ ଯାତ୍ରା କଥା ଆପଣଙ୍କର ମନେ ଥିବ | ଯେତେବେଳେ ସେ ଜଣେ ଅଟୋ ଡ୍ରାଇଭରଙ୍କ ଘରକୁ ଖାଦ୍ୟ ଖାଇବାକୁ ଯାଇଥିଲେ | ଅଟୋ ଡ୍ରାଇଭର ଜଣକ କେଜ୍ରିୱାଲଙ୍କୁ ଘରେ ଖାଇବାକୁ ନିମନ୍ତ୍ରଣ କରିଥିବାରୁ ସେ ତାଙ୍କ ଘରକୁ ଖାଇବାକୁ ଯାଇଥିଲେ ବୋଲି ଆପଣ ଜାଣିଥିବେ | ତେବେ ବର୍ତ୍ତମାନ ସେହି ଅଟୋ ଡ୍ରାଇଭର ଜଣକ ଏହି ନିମନ୍ତ୍ରଣ ପଛର କିଛି ରହସ୍ୟ କହିଛନ୍ତି | ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଠାରୁ ଗୁଜୁରାଟ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ଏକ ରାଲିରେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ରାଲିରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହି ହଜାର ହଜାର ଲୋକଙ୍କ ମଧ୍ୟରେ ସେହି ଅଟୋ ଡ୍ରାଇଭର ମଧ୍ୟ ଉପସ୍ଥିତ ଥିଲେ, ଯିଏକି କେଜ୍ରିୱାଲଙ୍କୁ ତାଙ୍କ ଘରକୁ ଡାକି ଖାଦ୍ୟ ଖାଇବାକୁ ଦେଇଥିଲେ। ଆଉ ଏହି ଅଟୋ ଡ୍ରାଇଭରଙ୍କୁ ମୋଦୀଙ୍କ ସମାବେଶରେ ଦେଖି ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |
ସାମ୍ବାଦିକମାନେ ଯେତେବେଳେ ଅଟୋ ଡ୍ରାଇଭର ବିକ୍ରମ ଦାନ୍ତାନିଙ୍କୁ ଏବାବଦରେ ପଚାରିଥିଲେ ସେ କହିଛନ୍ତି ଯେ, ସେ ପିଲାଦିନରୁ ମୋଦୀଙ୍କୁ ଭଲ ପାଆନ୍ତି । ସେ ଅଟୋ ୟୁନିଅନର ନିର୍ଦ୍ଦେଶରେ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ଘରେ ଖାଇବାକୁ ନିମନ୍ତ୍ରଣ କରିଥିଲେ। ବିକ୍ରମ ଦାନ୍ତାନୀ କହିଛନ୍ତି, “ୟୁନିୟନ ଲୋକମାନେ ମୋତେ ଏହା କରିବାକୁ କହିଥିଲେ। ମୁଁ ବିଜେପି ସହିତ ଜଡିତ ଅଛି। ଅଟୋ ୟୁନିୟନ ମୋତେ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିବାକୁ କହିଥିଲେ। ତେଣୁ ମୁଁ ତାଙ୍କୁ ମୋ ଘରେ ରାତ୍ରି ଭୋଜନ ପାଇଁ ଡାକିଲି।”
ବିକ୍ରମ ଆହୁରି କହିଛନ୍ତି, “ମୁଁ ତାଙ୍କୁ ଜଣେ ସାଧାରଣ ନାଗରିକ ଭଳି ଡ଼ାକିଥିଲି, କିନ୍ତୁ ମୁଁ ଜାଣି ନଥିଲି ଯେ ସେ ଏହାକୁ ନେଇ ରାଜନୀତି କରିବେ | ମୁଁ ମୋଦୀଙ୍କର ପ୍ରଶଂସକ | ସୂଚନା ଥାଉ କି ଯେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଗୁଜୁରାଟ ଯାତ୍ରା ସମୟରେ ଅଟୋ ଡ୍ରାଇଭରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ତାଙ୍କ ଘରେ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ | ଆଉ କେଜ୍ରିୱାଲ ଏହାକୁ ସ୍ୱୀକାର କରି ଅଟୋ ଡ୍ରାଇଭରଙ୍କ ଘରେ ରାତ୍ରୀ ଭୋଜନ ପାଇଁ ପହଞ୍ଚିଥିଲେ | ତେବେ ଏହି ସମୟରେ ଗୁଜୁରାଟ ପୁଲିସ ଅରବିନ୍ଦ କେଜ୍ରିୱାଲଙ୍କୁ ଅଟୋରେ ଯିବାକୁ ବାରଣ କରିଥିଲା, ଆଉ ସେତେବେଳେ କେଜ୍ରିୱାଲ ଏବଂ ଗୁଜୁରାଟ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

nis-ad
Leave A Reply

Your email address will not be published.