କଂଗ୍ରେସରେ ବିଦ୍ରୋହ: ବିଧାୟକଙ୍କୁ ବୁଝାଇବାକୁ ପ୍ରୟାସ, ଗେହଲଟ କହିଲେ ମୋ ହାତରେ କିଛି ନାହିଁ

ଜୟପୁର: ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ଦଳ କ୍ଷମତାରେ ଥିବା ରାଜସ୍ଥାନରେ ବିଦ୍ରୋହ ଦେଖାଦେଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ। ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ନାମାଙ୍କନ ଦାଖଲ କରିପାରନ୍ତି।
ସେ ଅଧ୍ୟକ୍ଷ ଭାବେ ଏକ ପ୍ରକାରର ନିର୍ବାଚିତ ହେବାକୁ ଥିବାରୁ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ସଚିନ ପାଇଲଟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି। କିନ୍ତୁ ଏହାକୁ ଗେହଲଟ ଓ ତାଙ୍କ ସହ ଥିବା ପ୍ରାୟ ୯୨ ଜଣ ବିଧାୟକ ବିରୋଧ କରିଛନ୍ତି। ଯଦି ଗେହଲଟଙ୍କ ତାଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଚୟନ କରିବେ ନାହିଁ, ତା’ହେଲେ ୯୨ ଜଣ ଯାକ ବିଧାୟକ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି।
ଏହାକୁ ନେଇ ରାଜସ୍ଥାନ କଂଗ୍ରେସରେ ବଡ଼ ବିବାଦ ଦେଖାଦେଇଛି। ବିବାଦ ବଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ହାତ ଟେକି ଦେଇଛନ୍ତି। ତାଙ୍କ ହାତରେ କିଛି ନାହିଁ ଓ ବିଧାୟକମାନେ କ୍ଷୁବ୍ଧ ଥିବା କହି ସେ ପରୋକ୍ଷରେ ପ୍ରସଙ୍ଗରୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି। ସେହିପରି ଅସନ୍ତୁଷ୍ଟ ବିଧାୟକଙ୍କୁ ବୁଝାଇବା ପାଇଁ କେନ୍ଦ୍ରୀୟ ନେତାମାନେ ପ୍ରୟାସ ଆରମ୍ଭ କରିଛନ୍ତି।
ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗେହଲଟ ବିବାଦ ସମ୍ପର୍କରେ ବରିଷ୍ଠ ନେତା କେସି ଭେନୁଗୋପାଲଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ତାଙ୍କୁ କହିଛନ୍ତି ଯେ “ମୋ ହାତରେ ଆଉ କିଛି ବି ନାହିଁ। ବିଧାୟକମାନେ ଅତ୍ୟନ୍ତ କ୍ରୋଧରେ ଅଛନ୍ତି।” ତେବେ ଭେନୁଗୋପାଲ ଏପରି କୌଣସି କଥାବାର୍ତ୍ତା ଗେହଲଟଙ୍କ ସହ ହୋଇ ନଥିବାର କହିଛନ୍ତି। ସେ କହିଛନ୍ତି, “ଏଯାଏ ମୁଁ ଗେହଲଟଙ୍କ ସହ କଥା ହୋଇନାହିଁ। ସେହିପରି ସେ ମଧ୍ୟ ମୋତେ ଫୋନ କରିନାହାନ୍ତି। ସବୁ କିଛିର ସମାଧାନ ଖୁବଶୀଘ୍ର ହେବ।”
ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କ କହିବା କଥା ଯେ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ନଚେତ ତାଙ୍କ ପସନ୍ଦର ନେତାଙ୍କୁ ଚୟନ କରନ୍ତୁ। ଏନେଇ ସେମାନେ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେବାକୁ ମଧ୍ୟ ପ୍ରସ୍ତୁତ କହିଛନ୍ତି। ଏଥସହ ସେମାନେ ୨୦୨୦ରେ ସଚିନ ପାଇଲଟ ସରକାର ବିରୋଧରେ କରିଥିବା ବିଦ୍ରୋହ କଥା ମଧ୍ୟ ଉଠାଇଛନ୍ତି। ୨୦୨୦ରେ ସରକାରଙ୍କ ସହ ଯେଉଁମାନେ ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏବେ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ବିଧାୟକମାନେ ଦାବି କରିଛନ୍ତି। ଗତକାଲି ବିଧାୟକ ଦଳ ବୈଠକ ବସିଥିଲେ ମଧ୍ୟ ଗେହଲଟ ଗୋଷ୍ଠୀ ବାଚସ୍ପତି ସିପି ଯୋଶୀଙ୍କ ଘରେ ଦୀର୍ଘ ସମୟ ଧରି ରହିଥିଲେ। ରାତି ଅଧିଆ କଂଗ୍ରେସର ହାଇଡ୍ରାମା ପୂରା ରାଜନୀତିକୁ ସରଗରମ କରିଥିଲା।
ଅନ୍ୟପକ୍ଷରେ ବିବାଦ ବଢ଼ୁଥିବାରୁ କଂଗ୍ରେସ ହାଇକମାଣ୍ଡ ଦୁଇ ଜଣ କେନ୍ଦ୍ରୀୟ ନେତାଙ୍କୁ ଜୟପୁର ପଠାଇଛନ୍ତି। ସେମାନେ ବିଧାୟକମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଏହାପରେ ସେମାନେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ। କିଛି ବିଧାୟକଙ୍କ ମତରେ ଅକ୍ଟୋବର ୧୭ ପରେ ହିଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଉ। କାରଣ ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ। ସେହିପରି ଆଉ କିଛି ବିଧାୟକ କହିଛନ୍ତି ଯେ ଗେହଲଟ ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବେ, ସେ ହିଁ ରାଜ୍ୟର ଦାୟିତ୍ୱ ନେବେ। କଂଗ୍ରେସ ମୁଖିଆ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିପାରିବେ ବୋଲି ଗେହଲଟ ଗୋଷ୍ଠୀ ଗୋଟିଏ ସଂକଳ୍ପ ମଧ୍ୟ ପାରିତ କରିଛି।

nis-ad
Leave A Reply

Your email address will not be published.