ମୋଦୀଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିଲା ପିଏଫ୍‌ଆଇ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଗତ ଜୁଲାଇ ୧୨ରେ ଆକ୍ରମଣ ପାଇଁ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଯୋଜନା କରିଥିଲା ବୋଲି ସୂଚନା ଦେଇଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଜୁଲାଇ ୧୨ରେ ମୋଦୀ ବିହାରର ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ପିଏଫଆଇ ଏହି ଆକ୍ରମଣ ଯୋଜନା କରିଥିବା ଇଡି ତରଫରୁ କୁହାଯାଇଛି। ପିଏଫ୍‌ଆଇର ଜଣେ ସଦସ୍ୟକୁ ପଚରାଉଚରା ସମୟରେ ଇଡି ଏହି ତଥ୍ୟ ହାସଲ କରିଛି। ଏଥିସହ ଉତ୍ତରପ୍ରଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଆକ୍ରମଣ ପାଇଁ ପିଏଫ୍‌ଆଇ ତରଫରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମହଜୁଦ୍ କରାଯାଇଥିବା ଇଡି ସୂଚନା ଦେଇଛି । ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣର ପ୍ରସ୍ତୁତି ପାଇଁ ପିଏଫ୍‌ଆଇ ତରଫରୁ ଏକ ଶିବିର ଆୟୋଜିତ ​ହୋଇଥିବା ଜଣାପଡ଼ିଛି।

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପିଏଫ୍‌ଆଇକୁ ବିଦେଶରୁ ବିପୁଳ ପରିମାଣର ଅର୍ଥ ମିଳୁଥିବା ଇଡି କହିଛି। ହାୱଲା ଜରିଆରେ ପିଏଫ୍‌ଆଇ ପଦାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ଆସୁଥିଲା। ପିଏଫ୍‌ଆଇ ଇତିମଧ୍ୟରେ ୧୨୦ କୋଟିରୁ ଅଧିକ ଟଙ୍କା ବିଭିନ୍ନ ମାଧ୍ୟମରେ ଠୁଳ କରିଥିବା ଇଡି ଦର୍ଶାଇଛି।
ସୂଚନାଥାଉ କି ପିଏଫଆଇର ବିଭିନ୍ନ କାର୍ଯ୍ୟାଳୟ ଉପରେ ଏନ୍‌ଆଇଏ ସହ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ତରଫରୁ ଚଢ଼ଉ କରାଯାଇଥିଲା। ଏଥିରେ ୧୦୬ଜଣ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଏକଦା କାତାରରେ ରହୁଥିବା ପାୟଥ୍‌ ନାମକ ଜଣେ ବ୍ୟକ୍ତି ବିଦେଶରେ ରହୁଥିବା ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପିଏଫ୍‌ଆଇ ଅର୍ଥ ଯୋଗାଉଥିଲା। ସଂସ୍ଥା ତରଫରୁ ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଘଟାଇବାକୁ ଏହି ଅର୍ଥ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।
ଅନ୍ୟପକ୍ଷରେ ଯୁବକଙ୍କୁ ଲସ୍କର-ଇ-ତୋଇବା, ଇସଲାମିକ୍‌ ଷ୍ଟେଟ୍‌ ଆଦି ଆତଙ୍କବାଦୀ ସଂଗଠନରେ ଯୋଗ ଦେବାକୁ ପିଏଫ୍‌ଆଇ ତରଫରୁ ପ୍ରୋତ୍ସାହନ ଦିଆଯାଉଥିବା କହିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ)। ସେହିପରି ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତରେ ଇସଲାମିକ ଶାସନ ଜାରି କରିବାକୁ ପିଏଫ୍‌ଆଇ ଉଦ୍ୟମ ଜାରି ରଖିଥିବା ଏନ୍‌ଆଇଏ ତରଫରୁ କୁହାଯାଇଛି। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସାର ବାତାବରଣ ସୃଷ୍ଟି କରିବା ପିଏଫଆଇର ଉଦେଶ୍ୟ ଥିଲା ବୋଲି ଏନ୍‌ଆଇଏ ସୂଚନା ଦେଇଛି। ଏନ୍‌ଆଇଏ ତରଫରୁ ଗିରଫ ପ୍ରମୁଖ ୧୦ଜଣ ପିଏଫ୍‌ଆଇ ପଦାଧିକାରୀଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ସହ ପଚରାଉଚରା ପାଇଁ ନିଜ ହେପାଜତକୁ ନେବାକୁ ଆବେଦନ କରାଯାଇଥିଲା। ତେବେ ସ୍ବତନ୍ତ୍ର ଅଦାଲତ ସେମାନଙ୍କୁ ଜେଲ୍‌କୁ ପଠାଇବାକୁ ନିର୍ଦେଶ ଦେଇଥିଲେ। ୨୦୦୬ରେ ସ୍ଥାପିତ ପିଏଫ୍‌ଆଇର କେରଳ, କର୍ଣ୍ଣାଟକ, ତାମିଲନାଡୁରେ ବହୁସଂଖ୍ୟକ ସଦସ୍ୟ ରହିଥିବା ବେଳେ ଅନେକ ରାଜ୍ୟରେ ଏହାର ଶାଖା ରହିଛି।

nis-ad
Leave A Reply

Your email address will not be published.