ରୋଚକ ମୋଡରେ ରାଜସ୍ଥାନ ରାଜନୀତି : ସଚିନ୍‌ ପାଇଲଟ୍‌ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ,୨୪/୦୯ : କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେଥିନେଇ ଚାଲିଛି କଳ୍ପନାଜଳ୍ପନା । ଇତିମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବା ନେଇ ଶୁକ୍ରବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କେରଳର କୋଚିରେ ଗେହଲଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଭେଟି ଅଧ୍ୟକ୍ଷ ହେବାକୁ ଅନୁରୋଧ କରିଥିଲି । କିନ୍ତୁ ସେ ମନା କରିଦେଲେ । ରାହୁଲ କହିଲେ, ଏଥରକ ଅଣ ଗାନ୍ଧୀ ହିଁ ଅଧ୍ୟକ୍ଷ ହେବେ । ଏହା ଅନ୍ତିମ ନିଷ୍ପତ୍ତି । ଏହାପରେ ଗେହଲଟ ସେପ୍ଟେମ୍ବର ୨୮ରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି ।

ସେପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ହୋଇଛି । ଯଦି ଗେହଲଟ ଅଧ୍ୟକ୍ଷ ହୁଅନ୍ତି ତା’ ହେଲେ ରାଜ୍ୟରେ ଖାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସଚିନ୍‌ ପାଇଲଟ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ା ଆଜି ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ପାଇଲଟ ହିଁ ହେବେ । ସମସ୍ତ ବିଧାୟକ ତାଙ୍କ ସହିତ ଅଛନ୍ତି । ଗେହଲଟଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକ ବି ପାଇଲଟଙ୍କୁ ସମର୍ଥନ କରିବେ । ଯେଉଁମାନେ ବିଏସ୍‌ପି ଛାଡ଼ି ଆସିଛନ୍ତି ସେମାନେ ବି ପାଇଲଟଙ୍କୁ ସମର୍ଥନ ଦେବେ ।

ଇତିମଧ୍ୟରେ ପାଇଲଟ ରାଜ୍ୟରେ ସବୁ ଗୋଷ୍ଠୀର କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରେ ସେହି ବିଧାୟକ ବି ସାମିଲ ଯେଉଁମାନେ କେବେ ତାଙ୍କର କଟ୍ଟର ବିରୋଧୀ ଭାବେ ପରିଗଣିତ ହେଉଥିଲେ । ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ପାଇଲଟ ସକ୍ରିୟ ହୋଇ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ନୂଆ ଦାୟିତ୍ୱ ମିଳିବାର ସଙ୍କେତ ଭାବେ ଦେଖାଯାଉଛି । ସେପ୍ଟେମ୍ବର ୨୧ରେ ପାଇଲଟ୍‌ ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହୋଇ ରାହୁଲଙ୍କ ସହ ଆଲୋଚନା କରିଥିଲେ । ଆଗକୁ ସେ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ ।

ସେପଟେ କଂଗ୍ରେସ ଆଜି ନିଜର ମୁଖପାତ୍ର ଓ ଯୋଗାଯୋଗ ବିଭାଗର ପଦାଧିକାରୀମାନଙ୍କୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସଂପର୍କରେ ଅନାବଶ୍ୟକ ଟିପ୍ପଣୀ କରିବାରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛି । ଦିନକ ପୂର୍ବରୁ ଦଳର ମୁଖପାତ୍ର ଗୌରବ ବଲ୍ଲଭ ଅଧ୍ୟକ୍ଷ ପଦ ଲାଗି ଅଶୋକ ଗେହଲଟଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଥିଲେ । ଏଥିସହ ଶଶି ଥରୁରଙ୍କୁ ଟାର୍ଗେଟ୍‌ କରିଥିଲେ । ସେହି ପରିପ୍ରେକ୍ଷୀରେ ଦଳର ମହାସଚିବ ଜୟରାମ ରମେଶ ଏହି ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.