ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ଗେହଲଟ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସଚିନ ପାଇଲଟଙ୍କୁ ମିଳିବ। ଗେହଲଟ ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ ଦେଖିବାକୁ ଚାହୁଁ ନଥିଲେ ମଧ୍ୟ ଗାନ୍ଧି ପରିବାରର ସମର୍ଥନ ତାଙ୍କ ସହିତ ରହିଛି।
ଗାନ୍ଧି ପରିବାର ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଚାହୁଁଥିବାରୁ ଗେହଲଟ ମଧ୍ୟ ସେମାନଙ୍କ ହଁରେ ହଁ ଭରିଛନ୍ତି। ଏଥିସହ ସେ ଯଦି କଂଗ୍ରେସ ସଭାପତି ନିର୍ବାଚନ ଜିତିବେ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେବେ। ଗାନ୍ଧି ପରିବାର ପକ୍ଷରୁ ଗେହଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗ ଛାଡ଼ି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ଗାନ୍ଧି ପରିବାରର ଏପରି ନିର୍ଦ୍ଦେଶ ପରେ ଗେହଲଟ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ହୋଇଛନ୍ତି।
ଏହାପୂର୍ବରୁ ଗେହଟଲ ମୁଖ୍ୟମନ୍ତ୍ରୀ ପଦ ସହ କଂଗ୍ରେସ ସଭାପତି ଭାବେ କାମ କରିବେ ବୋଲି କହୁଥିଲେ। କିନ୍ତୁ ରାହୁଲ ଗାନ୍ଧି ତାଙ୍କୁ ୱାନ ମ୍ୟାନ ଓ ୱାନ ପୋଷ୍ଟ ନିୟମ କଥା ମନେପକାଇ ଦେଇଥିଲେ। ରାହୁଲଙ୍କ ଏପରି ବୟାନର କିଛି ସମୟରେ ପରେ ହିଁ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ଦଳୀୟ ସୂତ୍ରରୁ ଖବର ପ୍ରକାଶ ପାଇଛି।
୭୧ ବର୍ଷୀୟ ଗେହଲଟ କଂଗ୍ରେସ ସଭାପତି ପଦ ପାଇଁ ଗାନ୍ଧି ପରିବାରର ପ୍ରଥମ ପସନ୍ଦ। କିନ୍ତୁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁଁ ନଥିଲେ। ସେ ଭାବୁଛନ୍ତି ଯେ ଯଦି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁଛନ୍ତି, ତା’ହେଲେ ସଚିବ ପାଇଲଟ ତାଙ୍କ ସ୍ଥାନ ନେଇଯିବେ। ପାଇଲଟ ୨୦୨୦ରେ ଗେହଲଟଙ୍କ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ତେଣୁ ଗେହଲଟ ସେବେଠାରୁ ସଚିନଙ୍କୁ କୋଣଠେସା କରି ରଖିବାକୁ ଉଦ୍ୟମ କରୁଛନ୍ତି। ଏପରି କି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀଙ୍କ ନାଁ ମଧ୍ୟ ଗେହଲଟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସୁପାରିସ କରିଥିଲେ।
ହେଲେ ରାହୁଲ ଗାନ୍ଧିଙ୍କ ବୟାନ ଗେହଲଟଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଥିଲା। ଗତକାଲି ସଚିନ ପାଇଲଟ ମଧ୍ୟ ଦିନ ତମାମ ରାହୁଲ ଗାନ୍ଧି କରୁଥିବା ଭାରତ ଯୋଡ଼ୋ ପଦଯାତ୍ରାରେ ସାମିଲ ହୋଇଥିଲେ। ସେ କେରଳରେ ପଦଯାତ୍ରା କରିବା ସହ ରାତିରେ ମଧ୍ୟ ରହିଥିଲେ। ଆଜି ଗେହଲଟ କେରଳରେ ପହଞ୍ଚିବା ପୂର୍ବରୁ ସଚିନ ସେଠାରୁ ବାହାରି ଯାଇଥିଲେ। ଏହି ସମୟରେ ସମ୍ଭବତଃ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧିଙ୍କ ସହ ସଚିନ କଥା ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଗେହଲଟ ଆଉ ଥରେ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି ପଦ ସମ୍ଭାଳିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଆଜି ସେ କହିଛନ୍ତି, “ଶେଷଥର ପାଇଁ ରାହୁଲ ଗାନ୍ଧିଙ୍କୁ ସଭାପତି ପଦକୁ ଫେରି ଆସିବାକୁ ଅନୁରୋଧ କରିବି।” ରାହୁଲ ଯଦି ଆଜି ଗେହଲଟଙ୍କ କଥାରେ ରାଜି ନ ହେବେ, ତା’ହେଲେ ସେ ଆସନ୍ତା ସୋମବାର ଦିନ ଅକ୍ଟୋବର ୧୭ରେ ହେବାକୁ ଥିବା କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ।

nis-ad
Leave A Reply

Your email address will not be published.