ଗୋରୁ ବୋଝେଇ ଗାଡ଼ି ଜବତ: ୨୦ ଗୋରୁ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କଙ୍କଡାହାଡ ଛକ ନିକଟରେ ବୁଧବାର ସକାଳେ ଗୋଟିଏ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଗୋରୁଗୁଡିକୁ ଚାଲାଣ ପାଇଁ ନେଉଥିବା ବେଳେ ଖବର ପାଇ କଙ୍କଡାହାଡ ଛକ ନିକଟରେ ମାଡି ବସିଲେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟ। ଗୋରୁ ଗାଡିଟିକୁ ସୁରକ୍ଷା ଦେଇ ସ୍କର୍ପିଓ ଓ ବୋଲେରୋରେ ଯାଉଥିବା ୧୫ରୁ ଅଧିକ ଲୋକ ବନ୍ଧୁକ ଦେଖାଇ ଗାଡି ଛାଡି ଦେବାକୁ ସ୍ଥାନୀୟ ଲୋକଙ୍କୁ ଭୟଭୀତ ମଧ୍ୟ କରାଇଥିଲେ। ବହୁ ପ୍ରଚେଷ୍ଟା ପରେ ଶତାଧିକ ଲୋକ ଏକାଠି ହୋଇଯିବାରୁ ଗାଡି ଛାଡି ପଳାଇଥିଲେ ଗୋରୁ ବେପାରୀ।

ଗୋରୁ ଗାଡିର ଡ୍ରାଇଭର ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଅମାନୁଷିକ ଭାବରେ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବାରୁ ଚପାଚପିରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଅନେକ ଗୋରୁ ଗାଈ କ୍ଷତାକ୍ତ ହୋଇଛନ୍ତି। ତେବେ ଗାଈଗୁଡିକୁ ଉଦ୍ଧାର ପରେ ଚିକିତ୍ସା କରି ବଜରଙ୍ଗ କ୍ଲବର ସଦସ୍ୟମାନେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନବାଚୀ। ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟ।

nis-ad
Leave A Reply

Your email address will not be published.