ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ପୋଡି ଯାଇଥିବା ଶାନ୍ତିଙ୍କୁ କିଏ ହେବ ସାହା ?

ବୁଗୁଡ଼ା (୧୮/୦୯) : ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ ଅନ୍ତର୍ଗତ ବଡ଼ତଣ୍ଡା ଗ୍ରାମରେ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଦମ୍ପତିଙ୍କ ଗତକାଲି ରାତ୍ରିରେ ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା l ଏବେ ଘରେ ପଡି ଛଟପଟ ହେଉଛି ଭାଇ ଭାଉଜକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡି ହୋଇ ଆହତ ହୋଇଥିବା ରାଜକୁମାରଙ୍କ ବଡ଼ ଭଉଣୀ ଅବିବାହିତା ଶାନ୍ତି l ଆଉ ସର୍ବସ୍ୱ ହରାଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି ବିଧବା ମା ନୀଳାବତୀ l ନୀଳାବତୀଙ୍କ ସ୍ଵାମୀ ତ୍ରିନାଥ ଜାନି ବିଷ ପିଇ ଆତ୍ମହତ୍ୟା କରିବାର ୧୩ ଦିନରେ ଆଖି ବୁଜିଦେଲେ ନବ ବିବାହିତ ପୁଅ ଓ ବୋହୁ l ଏବେ ଅବିବାହିତା ଝିଅ ଶାନ୍ତିକୁ ନେଇ କେମିତି ବଞ୍ଚିବେ ସେ ଚିନ୍ତାରେ ଭାଙ୍ଗି ପଡିଛନ୍ତି ବିଧବା ନୀଳାବତୀ l ଭାଉଜକୁ ବଞ୍ଚାଇ ବାକୁ ଯାଇ ଶାନ୍ତି ମଧ୍ୟ ନିଆଁରେ ପୋଡ଼ିଯାଇ ଆହତ ହୋଇଛି । ଶାନ୍ତିର ଡାହାଣ ପଟ ଦେହ, ହାତ ଓ ମୁହଁ ନିଆଁରେ ପୋଡ଼ିଯାଇଛି l ଘରେ ଚୁଲି ଜଳିବାକୁ ପାଖରେ ଟଙ୍କା ଟିଏ ନଥିବା ବେଳେ ନିଆଁରେ ପୋଡି ହୋଇ ହୋଇ ଦିନରାତି ରଡି ବୋବାଳି ଛାଡୁ ଥିବା ଅବିବାହିତା ଝିଅ ଶାନ୍ତି ପାଇଁ ଔଷଧ କେଉଁଠୁ ଆଣି ଦେବେ ସେ ଚିନ୍ତାରେ ମ୍ରିୟମାଣ ହୋଇଗଲେଣି ନୀଳାବତୀ l ପାରିବାରିକ କଳହକୁ ନେଇ ସ୍ୱାମୀ ତ୍ରିନାଥ ଗତ ୫ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିଲେ l ସ୍ଵାମୀ ମୃତ୍ୟୁର ୮ ଦିନିରେ ଅର୍ଥାତ ଗତ ୧୨ ତାରିଖ ରାତିରେ ନିଆଁରେ ପୋଡି ଯାଉଥିବା ବୋହୁ ପଦ୍ମାବତୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡି ଆହତ ହେଲେ ପୁଅ ରାଜକୁମାର ଓ ଝିଅ ଶାନ୍ତି l ଗତକାଲି କଟକ ବଡ଼ ଡାକ୍ତରଖାନାରେ ମାତ୍ର ୪ ଘଣ୍ଟା ବ୍ୟବଧାନରେ ଆଖି ବୁଜି ଦେଲେ ପୁଅ ଓ ବୋହୁ l ଏବେ ରୋଜଗାରିଆ ସ୍ଵାମୀ ଓ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ନୀଳାବତୀ l ରାଜକୁମାର ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ୨ ମାସ ତଳେ ତାକରଡ଼ା ପଞ୍ଚାୟତ ଅନ୍ତର୍ଗତ ଶୂଳିଆପଲ୍ଲୀ ଗ୍ରାମର ନବ କୃଷ୍ଣ ଜାନିଙ୍କ ଝିଅ ପଦ୍ମାବତୀକୁ ପ୍ରେମ ବିବାହ କରିଥିଲେ l ବାପାଙ୍କ ମୃତ୍ୟୁର ୧୩ ଦିନରେ ପୁଅ ଓ ବୋହୁର ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ କରିଦେଇଥିବା ବେଳେ ଏବେ ବିଧବା ନୀଳାବତୀ ଓ ଅବିବାହିତା ଶାନ୍ତିକୁ କିଏ ସାହା ହେବେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l

nis-ad
Leave A Reply

Your email address will not be published.