୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଆୟୋଜନକୁ କ୍ୟାବିନେଟ୍ ମଞ୍ଜୁରି, ଫୁଟବଲ ମହାସଂଘକୁ ଦିଆଯିବ ୧୦ କୋଟି ସହାୟତା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି । ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା । ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱକପ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି । ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ ।
ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟରୁ ଏହି ଅର୍ଥ ବରାଦ କରାଯାଇଛି।
୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ହେଉଛି ୧୭ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଫୁଟବଲ ପ୍ରତିଯୋଗିତା, ଯାହାକି ଫିଫା ଦ୍ୱାରା ଆୟୋଜିତ ହୋଇଥାଏ। ଏହି ପ୍ରତିଯୋଗିତାର ଆୟୋଜନ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପାରମ୍ପରିକ ଭାବେ ପ୍ରତି ଯୁଗ୍ମ ସଂଖ୍ୟା ବିଶିଷ୍ଟ ବର୍ଷରେ ଏହା ଆୟୋଜିତ ହୋଇଥାଏ। ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ୧୩ ନଭେମ୍ବର ଠାରୁ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଉରୁଗୁଏ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଂସ୍କରଣରେ ସ୍ପେନ ଚାମ୍ପିଅନ ହୋଇଥିଲା । ଭାରତରେ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପରେ ଭାରତ ସମେତ ମୋଟ ୧୬ଟି ଦଳ ଭାଗ ନେବେ । ଏଆଇଏଫଏଫ ତିନୋଟି ସ୍ଥାନରେ ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ଏହି ସ୍ଥାନଗୁଡ଼ିକ ହେଲା- ଭୁବନେଶ୍ୱର, ନଭୀ ମୁମ୍ବାଇ ଏବଂ ଗୋଆ ।

nis-ad
Leave A Reply

Your email address will not be published.