ଏଲିଜାବେଥ‌ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବ୍ରିଟେନର ଦିବଙ୍ଗତ ରାଣୀ ଏଲିଜାବେଥ‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହେବେ। ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତ କରି ସେଠାରେ ରାଣୀଙ୍କୁ ଶେଷ ଦର୍ଶନ ଶୋକବ୍ୟକ୍ତ କରିବେ। ଏଥିପାଇଁ ସେପ୍ଟେମ୍ବର ୧୭ରୁ ୧୯ ମଧ୍ୟରେ ରାଷ୍ଟ୍ରପତି ଲଣ୍ଡନରେ ଉପସ୍ଥିତ ରହିବେ। ବ୍ରିଟେନର ପୂର୍ବତନ ରାଷ୍ଟ ମୁଖ୍ୟ କୁଇନ୍‌ ଏଲିଜାବେଥ ଦ୍ୱିତୀୟ ମଧ୍ୟ କମନୱେଲଥ୍‌ ରାଷ୍ଟ୍ରର ମଧ୍ୟ ମୁଖ୍ୟ ଥିଲେ । ସେପ୍ଟେମ୍ବର ୭ରେ ରାଣୀଙ୍କର ପରଲୋକ ହୋଇଥିଲା। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଣୀଙ୍କ ନିଧନରେ ଶୋକବ୍ୟକ୍ତ କରିଛନ୍ତି। ସେହିପରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଥିବା ବ୍ରିଟିସ୍ ହାଇକମିଶନରଙ୍କ କାର୍ଯ୍ୟାଳୟରେ ଭେଟି ରାଣୀଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି। ଭାରତ ମଧ୍ୟ ରାଣୀଙ୍କ ସମ୍ମାନେର୍ଥେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରିଛି।
ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଲାଲକିଲ୍ଲା ଓ ରାଷ୍ଟ୍ରପତି ଭବନ ସମେତ ଦେଶବ୍ୟାପୀ ଜାତୀୟ ପତାକା ଅର୍ଦ୍ଧନମିତ ରହିଥିଲା। ରାଣୀ ଏଲିଜାବେଥ ଦ୍ୱିତୀୟ ବ୍ରିଟେନର ରାଣୀ ଭାବେ ସର୍ବାଧିକ ବର୍ଷ କାର୍ଯ୍ୟ କରିଛନ୍ତି। ଗତ ୮ ତାରିଖରେ ତାଙ୍କର ପରଲୋକ ହୋଇଛି। ଏଥିପାଇଁ ବ୍ରିଟେନରେ ୧୦ ଦିନିଆ ରାଷ୍ଟ୍ରୀୟ ଶୋକ ଏବେ ପାଳନ କରାଯାଉଛି। ୭୦ ବର୍ଷ ଧରି ରାଣୀ ଆସନରେ ବସିବା ପରେ ୯୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା। ରାଣୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲସ ରାଜା ହୋଇଛନ୍ତି।
ରାଣୀଙ୍କ ଶେଷକୃତ୍ୟ ସଂପନ୍ନ ହେବା ପର୍ଯ୍ୟନ୍ତ ଦେଶରେ ରାଷ୍ଟ୍ରୀୟ ଶୋକ ପାଳିତ ହେବ। ତାହାପରେ ବ୍ରିଟିସ ରାଜ ପରିବାର ଆଉ ୭ ଦିନ ଶୋକ ପାଳନ କରିବେ। ୱେଷ୍ଟମିନିଷ୍ଟର ଆବେ ନାମକ ଐତିହାସିକ ଚର୍ଚ୍ଚରେ ସାଧାରଣତଃ ବ୍ରିଟେନ ରାଜା ଓ ରାଣୀମାନଙ୍କର ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। କିନ୍ତୁ ମୃତ୍ୟୁପରେ ସେମାନଙ୍କ ଶରୀରକୁ ସବୁଦିନ ପାଇଁ ୱିଣ୍ଡସରର ସେଣ୍ଟ ଜର୍ଜ ଚାପେଲରେ ବିଶ୍ରାମ ଦିଆଯାଇଥାଏ। ରାଣୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରିଟେନର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଜନେତାମାନେ ଉପସ୍ଥିତ ରହିବେ।

nis-ad
Leave A Reply

Your email address will not be published.