ଗାନ୍ଧି ପରିବାର ହାତରୁ କ୍ଷମତା ଯେମିତି ନଖସେ ସେଥିଲାଗି ଯୋଜନା

ନୂଆଦିଲ୍ଲୀ: ଆଗକୁ କଂଗ୍ରେସ ସଭାପତି ନିର୍ବାଚନ ଥିବା ବେଳେ ତାପୂର୍ବରୁ ସୋନିଆ ଗାନ୍ଧିଙ୍କୁ ନେଇ ହୋଇଥିବା ଏକ ରଣନୀତି ଦଳରେ ହଲଚଲ ସୃଷ୍ଟି କରିଛି। ଦଳର କ୍ଷମତା ଗାନ୍ଧୀ ପରିବାର ହାତରୁ ଯେମିତି ନଖସିବ ସେଥିଲାଗି ସବୁ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ହେଉଛି | କଂଗ୍ରେସର ଶୀର୍ଷ ନେତୃତ୍ୱ ପକ୍ଷରୁ ସବୁ ପିସିସି ସଭାପତିଙ୍କୁ ଏକ ନିର୍ଦ୍ଦେଶ ଯାଇଛି। ସେଥିରେ ସବୁ ପିସିସି ସଭାପତିମାନଙ୍କୁ ଚୟନ କରିବାର କ୍ଷମତା ସୋନିଆ ଗାନ୍ଧିଙ୍କ ହାତରେ ରହିବା ପାଇଁ ପ୍ରସ୍ତାବ ପାରିତ କରିବାକୁ କୁହାଯାଇଛି। ସୋନିଆ ଗାନ୍ଧି ଏବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି। ଖାଲି ସେତିକି ନୁହଁ ଏଆଇସିସି ସଦସ୍ୟ ଚୟନ ମଧ୍ୟ ସୋନିଆଙ୍କ ହାତରେ ରହିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତାମାସଠାରୁ କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ଥିବା ବେଳେ ତାପୂର୍ବରୁ ଏହି ନିଷ୍ପତ୍ତି ଦଳରେ କମ୍ପନ ସୃଷ୍ଟି କରିଛି।
ପ୍ରସ୍ତାବ ଅନୁଯାୟୀ, ରାଜ୍ୟର ପିସିସି ସଭାପତି ଏବଂ ଏଆଇସିସି ସଦସ୍ୟଙ୍କୁ ସୋନିଆ ଗାନ୍ଧି ମନୋନିତ କରିବେ। ଆସନ୍ତା ମାସରେ ଦଳର ସଭାପତି ନିର୍ବାଚନ ଥିବା ବେଳେ ଏଥର ପ୍ରାର୍ଥୀ ଦଉଡ଼ରେ ନାହାନ୍ତି ସୋନିଆ ଗାନ୍ଧି। ଅନ୍ୟପକ୍ଷରେ ସଭାପତି ନିର୍ବାଚନରେ ଅଂଶଗ୍ରହଣ ପାଇଁ ରାହୁଲ ଗାନ୍ଧି ମଧ୍ୟ ଅମଙ୍ଗ ଥିବା କୁହାଯାଉଛି। ଦୀର୍ଘ ୨୦ ବର୍ଷ ପରେ ଗାନ୍ଧି ପରିବାର ବାହାରୁ କେହି ସଭାପତି ହୁଅନ୍ତୁ ବୋଲି ଦଳ ଭିତରୁ ଦାବି ଉଠିଛି। ଅବଶ୍ୟ ଅନେକ ନେତା ରାହୁଲ ଗାନ୍ଧିଙ୍କ ସଭାପତି ପଦ ସପକ୍ଷରେ ରାୟ ଦେଇଛନ୍ତି। ଅନ୍ୟପଟେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ରେସ୍‌ରେ ନଥିବା ଚର୍ଚ୍ଚା ହେଉଛି। ପ୍ରିୟଙ୍କା ଦଳରେଏବେ ସାଧାରଣ ସମ୍ପାଦକ ଅଛନ୍ତି।
ଅନ୍ୟପଟେ ଅଣ ଗାନ୍ଧି ପରିବାରରରୁ ସଭାପତି ପଦ ନେଇ ଅଶୋକ ଗେହଲଟଙ୍କ ନାଁ ଉଠୁଛି। ସେ କିନ୍ତୁ ମଙ୍ଗୁ ନାହାନ୍ତି। ରାହୁଲ ଗାନ୍ଧି ଔପଚାରିକ ଭାବେ ସଭାପତି ପଦରେ ନରହିଲେ ସୁଦ୍ଧା ସେ ଦଳର ମୁଖ୍ୟ ଚେହେରା ହୋଇ ରହିବେ। ଏବେ ତାଙ୍କ ନେତୃତ୍ୱରେ ଦେଶ ବ୍ୟାପି ଭାରତ ଯୋଡ଼ୁ ଅଭିଯାନ ଜାରି ରହିଛି। ୨୦୨୪ରେ ମୋଦିଙ୍କୁ ମୁକାବିଲା ପାଇଁ କଡ଼ା ପ୍ରତିଦ୍ୱନ୍ଦୀ ଭାବେ ଦଳ ରାହୁଲ ଗାନ୍ଧିଙ୍କୁ ଭାରତ ଯୋଡ଼ୁ ଅଭିଯାନ ମାଧ୍ୟମରେ ମଇଦରାନକୁ ଓହ୍ଲାଇଛି। ତେଣୁ ବିଧିବଦ୍ଧ ଭାବେ ନହେଲେ ମଧ୍ୟ ଦଳର କମାଣ୍ଡ ଯେପରି ଗାନ୍ଧି ପରିବାର ହାତରୁ ଖସି ନଯାଏ ସେଥି ପାଇଁ ପରୋକ୍ଷରେ ଏକ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସୋନିଆ ଗାନ୍ଧିଙ୍କୁ ନେଇ ହୋଇଛି ଉପରୋକ୍ତ ପ୍ଲାନ୍। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ୨୦୧୯ ମେ’ରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଲୋକସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ରାହୁଲ ନିଜକୁ ଦାୟୀ କରିଥିଲେ ଏବଂ ନୈତିକ ଦୃଷ୍ଟିକୋଣରୁ ଦଳରୁ ଇସ୍ତଫା ଦେଇଥିଲେ। ପରେ ଏହି ପଦରେ ସୋନିଆ ଗାନ୍ଧୀ ଅନ୍ତରୀର ଅଧ୍ୟକ୍ଷ ଭାବେ ରହି ଆସିଛନ୍ତି।

nis-ad
Leave A Reply

Your email address will not be published.