ସିଡ୍ନି: ରାଣୀ ଦ୍ବିତୀୟ ଏଲିଜାବେଥ୍ ଲେଖିଥିବା ଗୋଟାଏ ଗୁପ୍ତ ଚିଠିକୁ ସିଡ୍ନିରେ ଏକ ‘ଭଲ୍ଟ୍’ ବା ‘ଷ୍ଟ୍ରଙ୍ଗ୍ରୁମ୍’ରେ ରଖାଯାଇଛି। କୌତୁହଳର କଥା ହେଲା ଉକ୍ତ ‘ଭଲ୍ଟ୍’କୁ ଆଗାମୀ ୬୩ ବର୍ଷ ପର୍ଯ୍ୟନ୍ତ ଖୋଲାଯାଇ ପାରିବ ନାହିଁ।
ଅଷ୍ଟ୍ରେଲିଆର ‘ସେଭେନ୍ନିଉଜ୍’ ରିପୋର୍ଟ ଅନୁସାରେ, ସିଡ୍ନିର ଗୋଟାଏ ଐତିହାସିକ ଅଟ୍ଟାଳିକାରେ ଥିବା ‘ଭଲ୍ଟ୍’ରେ ରଖାଯାଇଥିବା ଉକ୍ତ ଚିଠିଟି ସିଡ୍ନିବାସୀଙ୍କ ଉଦ୍ଦେଶ୍ୟରେ ରାଣୀ ୧୯୮୬ ନଭେମ୍ବର ମାସରେ ଲେଖିଥିଲେ।
ଗୋଟାଏ ସୁରକ୍ଷିତ ସ୍ଥାନରେ କାଚ ଖୋଳ ଭିତରେ ଲୁଚାଇ ରଖାଯାଇଥିବାରୁ ଉକ୍ତ ପତ୍ରରେ କ’ଣ ଲେଖାଯାଇଛି ତାହା କେହି ଜାଣନ୍ତି ନାହିଁ, ଏମିତି କି, ରାଣୀଙ୍କର ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ବି ତାହା ଜଣାନାହିଁ। କିନ୍ତୁ, ଗୋଟାଏ କଥା ସୁନିଶ୍ଚିତ ଯେ, ୨୦୮୫ ମସିହା ନ ହେବା ଯାଏ ଉକ୍ତ ‘ଭଲ୍ଟ୍’ ଖୋଲାଯାଇ ପାରିବ ନାହିଁ।
ସିଡ୍ନିର ‘ଲର୍ଡ ମେୟର୍’ଙ୍କ ଉଦ୍ଦେଶ୍ୟ ଲିଖିତ ନିର୍ଦେଶନାମାରେ ଉଲ୍ଲେଖ ଅଛି: ୨୦୮୫ ମସିହାରେ ଆପଣ ଉଚିତ ମନେକରୁଥିବା କୌଣସି ଗୋଟାଏ ଦିନ ଦୟାପୂର୍ବକ ଏହି ଲଫାପାଟି ଖୋଲି ମୋ ବାର୍ତ୍ତା ସିଡ୍ନିର ନାଗରିକମାନଙ୍କୁ ଜଣାଇଦେବେ। ସ୍ବାକ୍ଷର ସ୍ଥାନରେ ଲିଖିତ ଅଛି ‘ଏଲିଜାବେଥ୍ ଆର୍’।
ଦେଶର ମୁଖ୍ୟ ହୋଇଥିବାରୁ ରାଣୀ ଦ୍ବିତୀୟ ଏଲିଜାବେଥ୍ ୧୬ଥର ଅଷ୍ଟ୍ରେଲିଆ ଗସ୍ତ କରିଥିଲେ।
ଶୁକ୍ରବାର ଦିନ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳ ଅର୍ପଣପୂର୍ବକ ସିଡ୍ନିର ପ୍ରସିଦ୍ଧ ‘ଅପେରା ହାଉସ୍’କୁ ଆଲୋକରେ ଉଦ୍ଭାସିତ କରାଯାଇଥିଲା। ଏହାଛଡ଼ା, ୭୦ ବର୍ଷ ପରେ ରବିବାର ଦିନ ଅଷ୍ଟ୍ରେଲିଆ ରାଜା ତୃତୀୟ ଚାର୍ଲସ୍ଙ୍କୁ ଦେଶର ମୁଖ୍ୟ ଭାବେ ଘୋଷଣା କରିଛି।
ସେହିପରି, ନିଉଜିଲାଣ୍ଡ୍ ମଧ୍ୟ ରବିବାର ଦିନ ଟେଲିଭିଜନ୍ରେ ପ୍ରସାରିତ ଉତ୍ସବରେ ବିଧିବଦ୍ଧ ଭାବେ ରାଜା ତୃତୀୟ ଚାର୍ଲସ୍ଙ୍କୁ ନିଜ ଦେଶର ମୁଖ୍ୟ ବୋଲି ଘୋଷଣା କରିଛି।
Sign in
Sign in
Recover your password.
A password will be e-mailed to you.