ସଫେଇ କର୍ମଚାରୀଙ୍କ ଅପହରଣ ଓ ଲୁଟ୍‌ ନାଟକ୍, ସିସିଟିଭି ଫୁଟେଜରୁ ଧରାପଡିଗଲା ସତ: ସ୍ତ୍ରୀ ଡରରେ ଦେଇଥିଲେ ମିଛ ଏତଲା

ଭୁବନେଶ୍ୱର,୧୧/୦୯: ନୂଆପଲ୍ଲୀ ଥାନା ଅଧୀନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କ ଡରରେ ଜଣେ ସଫେଇ କର୍ମଚାରୀ ଥାନାରେ ମିଛ ଏତଲା ଦେଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ କର୍ମଚାରୀ ଜଣକ ଥାନାରେ ଭୁଲ ମାଗି ମାମଲା ବନ୍ଦ କରିଦେବାକୁ ନେହୁରା ହୋଇଛନ୍ତି ।

ପୁଲିସ ଠାରୁ ମିଳିଥିବା ସୂଚନା ମୁତାବକ ୩୮ ନଂ ୱାର୍ଡର ସଫେଇ କର୍ମଚାରୀ କୃଷ୍ଣଚନ୍ଦ୍ର ନାୟକ ଗତ ୮ ତାରିଖରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ଯେ ତାଙ୍କୁ ସିଆରପି କ୍ୟାମ୍ପସ ସାମ୍ନାରୁ କିଛି ଯୁବକ ନିଶା ଦେଇ ଅପହରଣ କରିନେଇଥିଲେ ।

ତାଙ୍କର ହୋସ ଫେରିବା ବେଳକୁ ସେ ଭରତପୁର ଜଙ୍ଗଲରେ ଥିବା ଜଣାବାକୁ ପାଇଥିଲେ । ଅପହର୍ତ୍ତାମାନେ ତାଙ୍କଠାରୁ ୬ ହଜାର ଟଙ୍କା ନେଇଯାଇଥିବା ସେ ଏତଲାରେ ଦର୍ଶାଇଥିଲେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଏହି ସମୟରେ ସିଆରପିଏଫ୍‌ କ୍ୟାମ୍ପସ ସାମନାରେ ଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ, କୃଷ୍ଣଚନ୍ଦ୍ର ନିଜେ ଏକ ବ୍ଲେଡ୍‌ ସାହାଯ୍ୟରେ ନିଜ ପୋଷାକ ଚିରୁଛନ୍ତି । ଧୂଳି ମାଟି ନିଜ ଦେହରେ ବୋଳୁଛନ୍ତି । ଏହି ଫୁଟେଜ ଦେଖିବା ପରେ ପୁଲିସ ଚକିତ ହୋଇଥିଲା । ଘଟଣା ବିଷୟରେ କାହାକୁ କିଛି ନଜଣାଇ କୃଷ୍ଣଙ୍କୁ ପଚରାଉଚରା କରିଥିଲା । ଏହି ସମୟରେ କୃଷ୍ଣ ସବୁକଥା ମାନିଯାଇଥିଲେ । ସ୍ତ୍ରୀ ଦେଇଥିବା ଟଙ୍କା ଖର୍ଚ୍ଚ ହୋଇଯିବାରୁ ସେ ଏମିତି ନାଟକ ରଚିଥିଲେ । କୃଷ୍ଣଙ୍କ ପୁଅ ମଧ୍ୟ ଥାନାକୁ ଆସି ଜଣାଇଛନ୍ତି ମା’ଙ୍କ ଭୟରେ ବାପା ଏପରି କରିଛନ୍ତି ବୋଲି । ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ମାମଲା ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.