ମାଲକାନଗିରି/ଏମଭି୭୯, ୧୦/୯ : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଓ ଏମ୍ଭି୭୯ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ତଳେ ୧୨୫ଟି କଇଁଛ ଜବତ କରିଥିବାବେଳେ ପୁଣି ଆଜି ୭୭ଟି କଇଁଛ ଜବତ କରି ୩ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଗତ କିଛି ମାସ ହେବ ଚୋରା ଚାଲାଣକାରୀ କଇଁଛ ମାଫିଆମାନେ ସୀମାନ୍ତ ମୋଟୁ, ଏମଭି ୭୯, କାଲିମେଳା ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି ।
ଘଟଣା ଅନୁଯାୟୀ, ଆଜି ମୋଟୁ ଅଞ୍ଚଳରୁ ଗୋଟିଏ କାରରେ ୩ଜଣ ବ୍ୟକ୍ତି କଇଁଛ ଆଣିବା ସୂଚନାପାଇ ମୋଟୁ(ଏମଭି ୭୯) ରେଞ୍ଜର ଏବଂ ବନଭିଭାଗ ଟିମ୍ ରାସ୍ତାରେ ଜଗି ରହିଥିଲେ । ଏହି ସମୟରେ କାରଟି ଦୃତଗତିରେ ପଳାଉଥିବାବେଳେ ତାକୁ ଗୋଡ଼ାଇ ଧରିବାରେ ସଫଳ ହୋଇଛନ୍ତି। କାରଟିକୁ ଯାଞ୍ଚ କରିବାରୁ ସେଥିରେ କିଛି ପ୍ଲାଷ୍ଟିକ ଟ୍ରେରେ ୭୭ଟି କଇଁଛ ଥିବା ଦେଖିଥିଲେ ।
ପରେ କାର୍ ସହ କଇଁଛ ଜବତ କରି ଗାଡ଼ିରେ ଥିବା ୩ଜଣଙ୍କୁ ଏମଭି୭୯ ବନ ବିଭାଗ କାର୍ଯ୍ୟାଳୟରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଜବତ କରାଯାଇଥିବା ୭୭ଟି କଇଁଛ ମଧ୍ୟରୁ ୨୫ ଟି କଇଁଛ ମୃତ ଥିବା ମୋଟୁ ରେଞ୍ଜର ରଶ୍ମିରଂଜନ ସ୍ୱାଇଁ ସୂଚନା ଦେଇଛନ୍ତି ।