ଅଧାରୁ ଅଟକିଲା ପୁରୀ ରୋଷ ଘର ଅଗଣା କାମ

ପୁରୀ: ଶ୍ରୀମନ୍ଦିର ରୋଷଘର ଅଗଣା ଚଟାଣର ନଷ୍ଟ ହୋଇଥିବା ସମସ୍ତ ପଥର ବଦଳାଇବାକୁ ଚାଲିଥିବା ଉଦ୍ୟମ ଅଟକି ରହିଛି । ଅଗଣା ଚଟାଣର ପଥର ଘୋରି ହୋଇ ନଷ୍ଟ ହୋଇଯାଇଛି । ସେସବୁ ସ୍ଥାନରେ ନୂତନ ପଥର ପକାଇବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ରଥଯାତ୍ରା ବେଳେ କାମ ଆରମ୍ଭ କରିଥିଲା ।

ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ବେଳେ ରୋଷଘର ପଶ୍ଚିମ ପାଶ୍ୱର୍ରୁ ୨୭୦ ପଥର ବଦଳା ଯାଇଥିଲା । ମହାପ୍ରଭୁ ବଡ଼ଦେଉଳକୁ ଫେରିବା ପରେ ପଥର ବଦଳା ଓ ମରାମତି କାମ ଗତ ମାସରୁ ବନ୍ଦ ହୋଇଯାଇଛି ।
ଫାଙ୍କା ସମୟରେ ରୋଷଘର ଅଗଣାର ବାକି ଇଲାକାରେ ରାଜସ୍ଥାନୀ ପଥର ପକାଇବାକୁ ଏଏସ୍‌ଆଇ ପ୍ରସ୍ତାବ ଦେଇଥିଲା । ବିଶେଷ କରି ମହାପ୍ରଭୁଙ୍କ ରାତି ପହୁଡ଼ ଭୋଗ ଉଠିବା ପରେ ମରାମତି ନିମନ୍ତେ ସମୟ ଦେବାକୁ ଏଏସ୍‌ଆଇ ଅନୁମତି ମାଗିଛି । ଏଥିପାଇଁ ସୂପକାର ନିଯୋଗ ଏବଂ ଶ୍ର୍ରୀମନ୍ଦିର ପ୍ରଶାସନର ଅନୁମତି ଆବଶ୍ୟକ ବୋଲି ଏଏସ୍‌ଆଇ କହିଛି । ନିକଟରେ ଏକ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଛି । ହେଲେ ରୋଷଘର ଅଗଣାର ବାକି ରହିଥିବା ପଥର ବଦଳାଇବାକୁ କୌଣସି ଅନୁମତି ମିିଳିନାହିଁ । ତେଣୁ ମରାମତି କାମ ଅଧାରୁ ଅଟକି ରହିଛି । ଶ୍ରୀମନ୍ଦିର ରୋଷଘର ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟ ଆଦେଶ ଦେଇଥିବାରୁ ଏହି ମରାମତିକୁ ଗୁରୁତ୍ୱ ଦିଆଯାଉଛି । ଏହି ଆଦେଶ ପରେ ଶ୍ରୀମନ୍ଦିର ରୋଷଘର ଚାରି ପାଖ ଅଗଣାକୁ ମରାମତି କରିବାକୁ ପ୍ରସ୍ତାବ ଆସିଥିଲା । କୋଭିଡ୍‌ ଯୋଗୁ ପଥର ଚଟାଣର ନଷ୍ଟ ପଥର ବଦଳି ପାରି ନଥିଲା । ଚଳିତ ରଥଯାତ୍ରା ବେଳେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରିଥିବା ବେଳେ ରୋଷଘର ଅଗଣାର ନଷ୍ଟ ପଥରଗୁଡ଼ିକୁ ବଦଳାଇବା ଆରମ୍ଭ ହୋଇଥିବା କାମ ସପୂର୍ଣ୍ଣ କରିବାକୁ ଅନୁମତି ମଗାଯାଇଛି ।

ରୋଷଘର ପଶ୍ଚିମ ଦିଗରୁ ନଷ୍ଟ ହୋଇ ଯାଇଥିବା ୫୦ ଭାଗ ପୁରୁଣା ତଥା ନଷ୍ଟ ପଥରଗୁଡିକୁ ବଦଳା ଯାଇଛି । ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିର ଅଧିଷ୍ଠାନ ଭିତରେ ମୋଟ ୨୭୦ ରାଜସ୍ଥାନ ପଥର ଖଣ୍ଡକୁ ପୁରୁଣା ସ୍ଥାନରେ ବଦଳା ଯାଇଛି । କିନ୍ତୁ ଏବେ ରୋଷଘର ପରିବେଶ ପୁଣି ଚଳଚଞ୍ଚଳ ହୋଇଉଠିଛି । ରୋଷଘର କାମ ବନ୍ଦ ହେବା ସମୟରେ କାମ କରିବାକୁ ଏଏସ୍‌ଆଇ ପ୍ରସ୍ତାବ ଦେଇଛି । ଆହୁରି ୧୩୦୦ ବର୍ଗ ଫୁଟର ରାଜସ୍ଥାନୀ ପଥରକୁ ବଦଳାଇବାକୁ ଏଏସଆଇ ପ୍ରସ୍ତୁତି କରିଛି ।
ଶ୍ରୀମନ୍ଦିର ପ୍ରଶାସନ ଓ ସୂପକାର ନିଯୋଗ ସହ ଏଏସଆଇ ଆଲୋଚନା କରି ବାକି ୫୦ରୁ ଅଧିକ ଭାଗ ପଥର ଖଣ୍ଡ ବିଛାଇବା କାମ ସମ୍ପୂର୍ଣ୍ଣ କରିବାକୁ ଅନୁମତି ମିଳୁ ନାହିଁ । ଏଏସ୍‌ଆଇ ସୂତ୍ରରୁ ସୂଚନା ମିଳିଛି, ରୋଷଘର ଅଗଣାରେ ୨୫୦୦ ବର୍ଗ ଫୁଟର ପଥର ବଦଳାଇବାକୁ ଡିଜାଇନ ହୋଇଛି । ପୁରୁଣା ଅଗଣାର ପଥର ନଷ୍ଟ ହୋଇଯାଇଛି । ତେଣୁ ସମ୍ପୂର୍ଣ୍ଣ ଅଗଣାର ପଥର ବଦଳାଇବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି ।

nis-ad
Leave A Reply

Your email address will not be published.