ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ, ରାସ୍ତାର ଉଭୟ ପାର୍ଶ୍ୱରେ ୨୦ ଫୁଟ୍ ବୃଦ୍ଧି କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: ପ୍ରଶସ୍ତ ହେବ ପୁରୀ ବଡ଼ଦାଣ୍ଡ । ଉଭୟ ପଟେ ୨୦ ଫୁଟ୍ ଲେଖାଏଁ ବୃଦ୍ଧି କରିବାକୁ ଯୋଜନା । ଯେଉଁଠି ଜବର ଦଖଲ ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରାଯିବ ।

ଆଉ ଅନ୍ୟ ସଙ୍କୁଚିତ ସ୍ଥାନରେ ଜମି ଅଧିଗ୍ରହଣ କରାଯାଇ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ବଡ଼ଦାଣ୍ଡ ସମ୍ପ୍ରସାରଣ କାର୍ଯ୍ୟ ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ମନ୍ଦିରର ମେଘନାଦ ପାଚେରୀ ଚତୁଃପାଶ୍ୱର୍ରେ ଐତିହ୍ୟ କରିଡରର ବିକାଶ କରାଯାଉଛି । ଉକ୍ତ କରିଡରରେ ମୁଖ୍ୟତ ୫ଟି ଜୋନ୍ ରହିବ ।

ତାହା ହେଉଛି ବଫର ନୋ ଏଣ୍ଟ୍ରି ଜୋନ୍‌, ପ୍ରଦକ୍ଷୀଣ ପଥ, ଲ୍ୟାଣ୍ଡସ୍କେପ୍ ଜୋନ୍‌, ବାହ୍ୟ ପ୍ରଦକ୍ଷିକ ଜୋନ୍ ଓ ସର୍ବ ସାଧାରଣ ସୁବିଧା ଜୋନ୍। ଏହି କରିଡରକୁ ପଥର, କାଠ, ଗଛ ଓ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିିତ ଫୁଲ ସହାୟତାରେ ସଜାଯିବ । ଭିତର ପ୍ରଦକ୍ଷିଣ ପଥକୁ ମୁଖ୍ୟତ ଭକ୍ତମାନଙ୍କ ଦ୍ୱାରା ବିଭିନ୍ନ ପର୍ବ ପର୍ବାଣୀ ଏବଂ ବର୍ଷସାରା ପ୍ରଭୁଙ୍କ ରୀତିନୀତି ପାଇଁ ବ୍ୟବହାର କରାଯିବ । ଉକ୍ତ କରିଡର ଭକ୍ତ,ସେବକ ଓ ମହାପ୍ରଭୂ ଜଗନ୍ନାଥଙ୍କ ସହିତ ଜଡ଼ିତ ବିଭିନ୍ନ ପର୍ବ,ରୀତିନୀତିର ସୁଗମ ପରିଚାଳନା ପାଇଁ ସହାୟକ ହେବ । ବଡ଼ଦାଣ୍ଡ ସମ୍ପ୍ରସାରଣ ଯୋଗୁଁ ମନ୍ଦିର ସୁରକ୍ଷାକୁ ସୁଦୃଢ କରାଯାଇପାରିବ । କରିଡର ପ୍ରକଳ୍ପ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମୋଟ୍ ମୂଲ୍ୟ ୩୩୧.୨୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆବଶ୍ୟକ ପଡ଼ିଲେ ତାହା ବୃଦ୍ଧି କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

nis-ad
Leave A Reply

Your email address will not be published.