କମଳା ପୂଜାରୀଙ୍କୁ ଆଇସିୟୁରେ ନଚାଯିବା ଘଟଣା, ପକ୍ଷ ରଖିଲେ ଆଟେଣ୍ଡାଣ୍ଟ ଓ ସାମାଜିକ କର୍ମୀ

ଜୟପୁର : ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀଙ୍କୁ କଟକ ଏସ୍‌ସିବି ଆଇସିୟୁରେ ନଚାଯିବା ଘଟଣାରେ ଆଜି ଜୟପୁର ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି ଆଟେଣ୍ଡାଣ୍ଟ ରାଜୀବ ହିଆଲ। କମଳାଙ୍କୁ ନଚାଇଥିବା ତଥାକଥିତ ସମାଜସେବୀ ମମତା ବେହେରା ମଧ୍ୟ ନିଜର ପକ୍ଷ ରଖିଥିବା ସୂଚନା ମିଳିଛି। ସଂପୃକ୍ତ ମହିଳା ଜଣକ ହାଜର ନ ହୋଇ ଲିଖିତ ଭାବେ ପକ୍ଷ ରଖିଥିବା ଜଣାପଡିଛି।

ସୂଚନା ଥାଉକି, ଏସ୍‌ସିବି ଆଇସିୟୁରେ କମଳା ପୂଜାରୀଙ୍କୁ ତଥାକଥିତ ସମାଜସେବୀ ମମତା ବେହେରା ନଚାଇବା ଭିଡିଓ ଭାଇରଲ ହେବା ପରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲା ପରଜା ସମାଜ ଓ ଭୂମିଆ ସମାଜ ପକ୍ଷରୁ ଏହାକୁ ନେଇ ଅଭିଯୋଗ କରାଯାଇଥିଲା। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ଉପଜିଲ୍ଲାପାଳ ଗତକାଲି ମମତା ବେହେରା ଓ ରାଜୀବ ହିଆଲଙ୍କୁ ଉପସ୍ଥିତ ହୋଇ ପକ୍ଷ ରଖିବାକୁ ନୋଟିସ୍ କରିଥିଲେ।

ଗତ ୨୦ଦିନ ତଳେ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

nis-ad
Leave A Reply

Your email address will not be published.