ଏସ୍‌ସିବିରେ ଲାଗିବ ବାୟୋମେଟ୍ରିକ, ଡ୍ୟୁଟି ସମୟରେ ଘରୋଇ ଭାବେ ରୋଗୀ ଦେଖିପାରିବେ ନାହିଁ ଡାକ୍ତର

କଟକ: ସରକାରୀ ଭାବେ ଧାର୍ଯ୍ୟ ସମୟ ଭିତରେ ଡାକ୍ତର ଏସ୍‌ସିବିରେ ରୋଗୀ ଦେଖୁଛନ୍ତି ନା ଘରୋଇ ହସ୍ପିଟାଲରେ ରୋଗୀ ଦେଖୁଛନ୍ତି ତାହା ଅନୁଧ୍ୟାନ କରିପାରିବେ ଦିଲ୍ଲୀସ୍ଥିତ ଜାତୀୟ ମେଡିକାଲ୍‌ କମିସନ୍‌(ଏନ୍‌ଏମ୍‌ସି)ର ଅଧିକାରୀମାନେ । ଏସ୍‌ସିବିରେ ଏବେ ବାୟୋମେଟ୍ରିକ୍‌ ମେସିନ୍‌ ଲାଗିବ । ଡାକ୍ତରଙ୍କଠାରୁ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଧାର ଲିଙ୍କ୍‌ ଏହି ମେସିନ୍‌ ସହିତ ରହିବ । ଯଦ୍ୱାରା ଆଧାରରେ ଥିବା ଫୋନ୍‌ ନମ୍ବରକୁ ଟ୍ରାକିଂ କରି ଏନ୍‌ଏମ୍‌ସିର ଅଧିକାରୀମାନେ ଲୋକେସନ୍‌ ଧରିପାରିବେ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସ୍‌ସିବିରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ନୂଆ ନୁହେଁ । ଏହା ପୂର୍ବରୁ ୨୦୧୫ ମସିହାରେ ମଧ୍ୟ ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଏସ୍‌ସିବିରେ ବାୟୋମେଟ୍ରିକ୍‌ ମେସିନ୍‌ ଲଗାଯାଇଥିଲା । ମାତ୍ର ବିଫଳ ହୋଇଥିଲା । ତେବେ ଏଥର ଯୋଜନାବଦ୍ଧ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଉଛି । ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ଏଥିପାଇଁ ଏନ୍‌ଏମ୍‌ସି ପକ୍ଷରୁ ନୋଡାଲ୍‌ ଅଫିସର୍‌ ଭାବେ ଚୟନ କରାଯାଇଛି ।

ଆସନ୍ତା ୨ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ପ୍ରତ୍ୟେକ ସରକାରୀ ମେଡିକାଲ୍‌ କଲେଜ ପାଇଁ ଏହି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ନୋଡାଲ ଅଫିସର ଡାକ୍ତର ସ୍ୱାଇଁ କହିଛନ୍ତି । ଏନ୍‌ଆଇସି (ନ୍ୟାସନାଲ ଇନ୍‌ଫରମେସନ ସେଣ୍ଟର୍‌) ଜରିଆରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ଏବେ ଏସ୍‌ସିବିର ସମସ୍ତ ତଥ୍ୟ ସହିତ ଡାକ୍ତର ଓ କର୍ମଚାରୀଙ୍କ ଆଧାର, ଫୋନ୍‌ ନମ୍ବର ଇତ୍ୟାଦି ଏଣ୍ଟ୍ରି କରାଯାଉଛି । ଏଥିପାଇଁ ମେଡିକାଲ ଭିତରେ ଏକ ସେଲ୍‌ ଖୋଲାଯିବ । ଅନ୍ୟପକ୍ଷରେ ପୂର୍ବଥର ମାତ୍ର ୬ ମାସ ଭିତରେ ଜାଣିଶୁଣି ବାୟୋମେଟ୍ରିକ୍‌ ମେସିନ୍‌ଗୁଡିକୁ ଅଚଳ କରିଦିଆଯାଇଥିଲା । ତେଣୁ ଏଥର ଏହି ବ୍ୟବସ୍ଥା କେତେ ସଫଳ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

nis-ad
Leave A Reply

Your email address will not be published.